ଧର୍ମର ମାସ
ଧର୍ମର ମାସ
ହିମ ଋତୁ ସଙ୍ଗେ ସଙ୍ଗାତ ହୋଇକି
କାର୍ତ୍ତିକ ମାସ ଆସଇ,
ଧରମ ଓ ପୂର୍ଣ୍ୟ ମାସର ନାମରେ
ଜଗତେ ଜଣା ହୁଅଇ।
ସହରରୁ ନେଇ ପଲ୍ଲୀ ପୂର ଯାଏଁ
ଆଧ୍ୟାତ୍ମିକ ଭାବ ଖେଳି ଯାଏ,
ଚନ୍ଦନ, କର୍ପୂର, ଅଗୁରୁ ଗନ୍ଧରେ
ଚାରି ଦିଗ ମହକି ଥାଏ।
ଘରେ ଘରେ ଆଉ ଆମିଷ ନୁହେଁ
ହବିଷ ଡାଲମା ବାସେ,
ହରି ନାମ ଜପି ହବିଷ୍ୟାଳୀ ସବୁ
ଯାଆନ୍ତି ଈଶ୍ୱର ପାଶେ।
ମଠ ମନ୍ଦିରରେ ଭାରି ଭିଡ଼ ଲାଗେ
ସକାଳ ପହିଲା ମାନେ,
ଚଳଚଞ୍ଚଳ ହୁଏ ଭାଗବତ ଟୁଙ୍ଗି
ସଞ୍ଜ ନଇଁଲା ମାନେ।
ଶଙ୍ଖ, ଘଣ୍ଟା, ଗିନି, ମୃଦଙ୍ଗ ଧ୍ୱନିରେ
ମେଦିନୀ ପଡ଼ଇ ଉଠଇ,
ନାମ, କୀର୍ତ୍ତନ, ଭଜନ ସୁରରେ
ଭକତ ବିଭୋର ହୁଅଇ।
ଚଉରା ମୂଳର ମୁରୁଜ ଝୋଟିଟି
ଭାରି ମନଲୋଭା ଦିଶଇ,
ଶୀତଳ ପବନ ତାଳରେ ସଞ୍ଜ ବତି
ଅଙ୍କେଇ ବଙ୍କେଇ ନାଚଇ।
ସାଧବ ପୁଅ ଯେ ବାଣିଜ୍ୟ ନିମନ୍ତେ
ଯାଉଥିଲେ ଦୂର ରାଇଜ,
ସାତ ଦରିଆକୁ ପାରି କରି ତାଙ୍କୁ
ନଉଥିଲା ଉତ୍କଳ ବୋଇତ।
ବଢ଼ି ଭୋରୁ ଉଠି ଡ଼ଙ୍ଗା ଭସା ହୁଏ
ପଞ୍ଚୁକ ପୂର୍ଣ୍ଣିମା ଦିନ,
ମନେ ରଖିବାକୁ ସେଇ ଗୌରବ ଅତୀତ ଓ
ସାଧବର ସ୍ମୃତି ମାନ।