ଧୋକାବାଜ ପ୍ରେମିକା
ଧୋକାବାଜ ପ୍ରେମିକା
ମଉନେ ସେ ବସିଥିଲା
ଝରୁଥିଲା ଟପ୍ ଟପ୍ ଲୁହ,
ଭିଜା ଭିଜା ଆଖି ତାର
ହୃଦୟରେ ଅସୀମିତ କୋହ ।
ଶୁଖା ଶୁଖା ଦୁଇ ଓଠ
ହଜିଥିଲା ପୂର୍ବ ମୁଖକାନ୍ତି,
ବିଚଳିତ ମନ ତାର
କେହି ଲୁଟି ନେଇଥିଲା ଶାନ୍ତି ।
ଜାତି ତାର ଦ୍ୱିଜ ଶ୍ରେଷ୍ଠ
ବୃତ୍ତିରେ ସେ ରାଜ କର୍ମଚାରୀ,
ଶ୍ମଶାନରେ ଉପବିଷ୍ଟ
ବନ୍ଧୁଟିଏ ଆପଣାର ଭାରି ।
ଆଚମ୍ବିତେ ପ୍ରଶ୍ନ କଲି
ନିରୋଳାରେ କାହିଁ ଅଛ ବସି?
କହିଲା ସେ " କି କହିବି !
ଏକା କରି ଗଲା ମୋ ପ୍ରେୟସୀ ।
ଏକୁଟିଆ ଥିଲି ବୋଲି
ସେହି ଦିନେ ଧରିଥିଲା ହାତ,
ପ୍ରେମେ ଅନ୍ଧ ହୋଇ ମୁହିଁ
ତା ଆଖିରେ ଦେଖୁଥିଲି ବାଟ ।
ପିଆଇଲା ସୋମରସ
ଭେଟି ଦେଲା ଲକ୍ଷେ ପାରିଜାତ,
ଅଙ୍ଗେ ଅଙ୍ଗ ମିଶାଇଲା
ଚୁମ୍ବନରେ କରିଲା ଭ୍ରମିତ ।
ଘାରିଗଲା ଗାଢ଼ ନିଦ୍ରା
ଖୋଲି ନେତ୍ର ଦେଖିଲି ମୁଁ ଯେବେ,
କେହି ନାହିଁ ପାଶେ ମୋର
ଜୀବନ୍ତ ମୁଁ ଶବଟିଏ ଏବେ ।
ଖୋଜି ଖୋଜି ଗିରିବନ
ନଦନଦୀ ପାହାଡ଼ ପ୍ରାନ୍ତରେ,
ଶେଷେ ଆସି ପହଞ୍ଚିଛି
ମଣିଷର ଶେଷ ଠିକଣାରେ ।
କଇଁ କଇଁ କାନ୍ଦି ପୁଣି
ବହିଟିଏ ଦେଲା ହାତେ ମୋର,
ଏହା ବୋଧେ ପ୍ରେମିକାର
ବନ୍ଧୁ ପାଇଁ ଶେଷ ଉପହାର ।
ଥିଲା ତାହା ଛବିମୟ
କେତେ ଜଣା ଅଜଣା ଚରିତ୍ର,
ପୃଷ୍ଠାମାନ ଓଲଟିଲି
ଶେଷେ ଥିଲା ମୋର ଫଟୋଚିତ୍ର ।
ଶେଷପୂର୍ବ ପୃଷ୍ଠାପରେ
ମୋ ବନ୍ଧୁର ଛବିଟିକୁ ପାଇ,
ଅଜ୍ଞାନ ମୁଁ ଜାଣିଗଲି
ପ୍ରେମିକା ତା' ଥିଲା ଆତତାୟୀ ।
ଉପହାର ପୁସ୍ତିକାଟି
ଧୋକାଖିଆ ପ୍ରେମୀଙ୍କ ତାଲିକା,
ସବୁ ଧୋକା ଖାଇଗଲେ
ମୁହିଁ ଖାଲି ବଞ୍ଚିଗଲି ଏକା ।