ଦହନ-ଦୁଃଖ
ଦହନ-ଦୁଃଖ
ରୋମାଣ୍ଟିକ କବି ମାୟାଧର ମାନସିଂହ
ସ୍ୱର୍ଣ୍ଣ ଯେବେ ନିଆଁରେ ପୋଡ଼େ
ଅକୁହା ବ୍ୟଥା ମରମେ ମରେ
ସେଇ ଯେ ତା' ର ଭାଗ୍ୟୋଦୟ
ନ ପାରେ ଜାଣି ଅଜ୍ଞାତରେ !
ବୀଜଟି ଯେବେ ମାଟିରେ ପଡି
ଧ୍ବଂସ ହୁଏ ଗଳିତ-ଅଙ୍ଗ,
ବୁଝେ କି ଆହା କ୍ଷୁଦ୍ର-ବୀଜ
କି ମହା-ଲୀଳା ତା ତନୁ-ଭଙ୍ଗ !
ମତେ ବି ତମେ ଜଳାଇଅଛ
ଦୁର୍ବିପାକର ତପ୍ତ-ଦାହେ,
ଅଜ୍ଞାତରେ ଦେଇଛି ଗାଳି,
ସେ ଲାଗି, ପ୍ରଭୁ, ସେ ଦିନ ଯାଏଁ !
ବୁଝୁଛି ଆଜି ବିଳାପ ଯେତେ,
ଲାଂଛନା ଯା, ଭ୍ରାନ୍ତ-ଗତି,
ଆସ୍ତେ ପ୍ରଭୁ,ଅଲକ୍ଷ୍ୟରେ
ଆଣିଛି ଅବା ତୁମରି କତି !
ତୁମରି ଅନୁକମ୍ପା ତଳେ
ଶାନ୍ତି ଆଜିର ବିଶ୍ରାମରେ
କେତେ ବା ଦୂରେ ଦୁଃଖ ପୁଣି
ଅଛି, ମୁଁ ଭାବେ କୌତୂହଳେ !
ଦୁଃଖ ଆଜି ବିପଦ ନୁହେଁ,
ଦୁଃଖ ତୁମରେ ବିସ୍ମରଣ,
ତୁମରେ-ବୁଝିବା-ପନ୍ଥା ଯଦି -
ସେ ଘୋର-ଦାହ, ବନ୍ଧୁ ମମ ।
ଦୁଃଖ ଦିଅ, ବିପଦ ଦିଅ,
ଘାରନା କେବଳ ଅଜ୍ଞାତରେ,
ଆଲୋକ ଆଣେ ଯେ ଅନ୍ଧାର,
ଯଜ୍ଞ ବୋଲି ମୁଁ ଭାବିଛି ତା'ରେ ।
ସମାପ୍ତ

