ଧାରେ ହସ
ଧାରେ ହସ
ଜୀବନର କାଚ କେନ୍ଦୁପାଣି ଚହଲିଲେ
ତୁମ ଓଠରୁ ଝରିପଡେ ଗଙ୍ଗ ଶିଉଳୀ
ମୋ ହୃଦୟର ମାଟିପରେ
ଅତୀତର ଜହ୍ନ ଉଇଁ ଆସେ
କେଉଁଠୁ କେଜାଣି ବଳେ ବଳେ
ରାତିର ଶୂନଶାନ ପ୍ରହରେ ।
ତୁମ ସରୁ ଧାର ହସ ମନେ ପଡିଲେ
ସଵୁ ଦୁଃଖ ଜଞ୍ଜାଳକୁ ପୋଛା ପୋଛି କରି
ନଈରେ ଉଜେଇଲା ବେଳେ
କାହିଁ ମୁଁ ଆନମନା ହୁଏ
ପଛକୁ ଫେରିଯିବାକୁ ଭାରି ଇଚ୍ଛା ହୁଏ
ମନର ପକ୍ଷୀରାଜ ଘୋଡାରେ
ସମୁଦ୍ର ଝାଉଁବଣ ବାଲିତଟ କଥା
ଖୁବ ମନେପଡେ ନୋଳିଆ ସାହି ବସ୍ତିରେ ।
ତୁମର ସେଦିନର ଚେନାଏ ହସ
ଅଲିଭା ଗାର ଟାଣିଥିଲା ମୋ ଛାତିରେ
ଭୁଲିଥିଲି ମୁଁ ସବୁଜ ପୃଥିବୀକୁ
ଜହ୍ନ ତାରା ନୀଳ ସମୁଦ୍ରର ଢେଉକୁ
ତୁମ ପ୍ରତିଛବିଟିଏ ଆଙ୍କି ମୋ ମନରେ ।
ଆଜି କାହିଁ ବେଶ୍ ଖୋରାକ ଯୋଗାଏ
କଷ୍ଟ ଲାଗେନି ଜମା ମୋତେ
ପାହାଚ ପରେ ପାହାଚ ଚଢିବାକୁ
ତୁମରି ଧାରେ ହସକୁ ପୁଞ୍ଜି କରି
ସୁଖରେ ବଞ୍ଚିବାର ଅଭିନୟ ଯାହା ଖାଲି କରେ ।

