ଧାରା ଶ୍ରାବଣ
ଧାରା ଶ୍ରାବଣ
ଘଡଘଡ଼ି ନିନାଦ ବିଜୁଳି ଚମକ ଥରାଇ ଦିଏ ମୋ
ବୟସ୍କ ହାଡ଼ୁଆ ଛାତି, ଭାବି ଚାଲେ ମୁଁ ତ ଆଜି
କରି ଆବଦ୍ଧ ସେହି ହାଡୁଆ ପିଞ୍ଜରା ଛାତିରେ
ସେଇ ସୁନେଲି ଅତୀତର ମଧୁର ସ୍ମୃତି l
ମନେ ପଡ଼େ ପୁରୁଣା କୋରାପୁଟର ସେଇ
ସଙ୍ଗୀତ ଝରଣାର ଆଉ ଜୀବପକ୍ଷୀ ମୁଖରିତ
ସେଇ ମନୋରମ ବନାନୀ,
ଯେବେ ଥିଲି ମୁଁ ସେଠି ଜଣେ କିଶୋର ଚପଳ
ମତି ଶିକ୍ଷାନବିଶପିଉଥିଲି ସେବେ ମିର୍ମଳ
ଝରଣାର ପାଣି l
ପାର୍ବତ୍ୟମାଳା ପିନ୍ଧି ସେଇ ପ୍ରକୃତି ରାଣୀ
କଳା ମେଘ ଘରଣୀ ,ତୋଷୁଥିଲା ମୋ ମନ
ମିଶାଇ ନିଜକୁ ସାଥେ ପର୍ବତଛୁଆଁ ସେଇ
ବରଷା ରାଣୀ l
କଳା ଧଳା ବାଦଲ ଭାସମାନ ସଦା
ଆକାଶେ ଅତି ମନ ଛୁଆଁ,
ତରୁଣ ମନପ୍ରାଣକୁ କରୁଥିଲା କରି
ଚାଲିଥିଲା ଯଥା ଅଫିମ
କିମିଆ l
ବ୍ରାହ୍ଷଣୀ ବେଙ୍ଗଟିଏ ଥରେ ଡେଇଁ ପଶିଥିଲା
ଆମ ଅଗଣାରେ, କଟର କଟର ଆୱାଜ
କରି ଖୋଜୁଥିଲା ବେଙ୍ଗୁଲିକୁ ଶୃଙ୍ଗାରେ l
ନଥିଲା ମୋ ମନେ ବିକାର ଜମାରୁ ସେଦିନ,
ଦେଇଥିଲି ଫୋପାଡ଼ି ତାକୁ ଆମର ପୋଖରୀ
ମଝିକୁ ନଥିଲା ମୋ ବିକଳ ମନ l
ମୁଷଳଧାରା ବରଷା ଛୁଟାଇ ଥିଲା ବନ୍ୟାର
ସୁଅ ଆମ ଦୁଆରେ, କେରାଣ୍ଡି ଶେଉଳ ଆସି
ଭାସି ଭାସି ପଶିଲେ ଧସାଇ ଆମ ଚୁଲି
ଭିତରେ l
ଆମ ବାଡ଼ି ପଛେ ଥିଲା ବୁଦୁ ବୁଦୁକିଆ ବଣ ଆଉ
ବରଷା ପାଣିର ମେଳ,ଡାହୁକ କୁମ୍ଭାଟୁଆ ପାଣି
କୁଆ ରହିଥିଲେ ଜମାଇ ସେମାନଙ୍କ ଡେରା ନକରି
କଳିଗୋଳ l
ମୋତିଆଲମା ଠାକୁରାଣୀ ମନ୍ଦିର କୁ ଘେରି ଥିଲା ଏକ
ବିରାଟ ପ୍ରାଚୀର, ଦରଶନ ପରେ ବୁଲୁଥିଲି
ମନ୍ଦିର ପ୍ରାଙ୍ଗଣେ ଦେଖି ଦେଖି ଶୋଭା ଦୂର ବାଦଲ
ଘେରା ନୀଳ ପାହାଡ଼ର l
ଭିଜି ଭିଜି ବରଷାରେ ଭାଲୁ ଖାଇ ଚାଲି ଥିଲା
ମହୁଲି ଫୁଲ ଗଛ ତଳୁ,ମାର୍କଟ ବାପୁଡ଼ା ଖେଁ ଖାଁ
ସ୍ଵରେ କରୁଥିଲା ସତର୍କ ମହୁଲି ଫୁଲକୁ ନକରି
ଚଳୁ l
ସେଇ ଆମର କୋରାପୁଟ ସଦର ବରଷା ଋତୁର
ଧାରୋହର ସନ୍ତକ, ଆଠ କାଳି ବାରମାସ
ଧୁମ୍ ଧାମ୍ ବରଷାର ଉଛୁଳା ବିନ୍ଦୁ ଗାଲେ ମୋ
ପଡ଼ି ଦେଉଥିଲା ଚାପୁଡ଼ା ଟିକକ l
ଚକ ମକ ବିଜୁଳି କନ୍ୟା ବାଦଲ ବେଦୀରେ ବସି
ହଉଥିଲା ବାହା, ବଜାଉଥିଲେ ଇନ୍ଦ୍ରଘଡ଼
ଘଡ଼ି ଢୋଲ ଧରି ତାଳେ ତାଳେ ପବନର ରାହା l
ଭସାଇ ଦେଇଥିଲି ସେଦିନ ଏକ କାଗଜଡଙ୍ଗା ଥାପି ତା
ଉପରେ ରଙ୍ଗିଲା କାଗଜ ମାସ୍ତୁଲ ଠେଙ୍ଗା ଗୁନ୍ଦ
ଅଠାରେ, ଦୋହଲି ଦୋହଲି
କେନାଲ ସୁଅରେ ଭସାଇ ମୋ ମନକୁ ବଡ଼
ଉଚ୍ଚାଟ ଢେଉରେ l
ବରଷା ଟିକିଏ ଯାଇଥିଲା ଛାଡ଼ି ଝାଡୁଥିଲା କୁଣ୍ଡା
ମାତର, ବଣୁଆ ପାରା ମୁଣ୍ଡେ ପଡ଼ି
ବିନ୍ଦୁ ବିନ୍ଦୁ ପିନ୍ଧାଇ ଦେଇ
ଚାଲିଥିଲା ମୁକ୍ତା ଅଳଙ୍କାର l
ଘୁମୁରି ଘୁମୁରି ଖୁମ୍ପି ଚାଲି ଥିଲେ ମୁଁ ଦେଇଥିବା ଧାନ
କେଣ୍ଡାକୁ ମୁନିଆଁ ଥଣ୍ଟେ, ଅଗଣାରେ ଦଳବାନ୍ଧି
ପାରାଏ ଚାଲୁଥିଲେ ରଜା ଚାଲି ଫୁଲାଇ ଗଳାକୁ
ଆଣ୍ଟେ l
ପିଲାଦିନ ବର୍ଷାଗାଧୁଆ କଥା ଏବେ ଦିଏ ବି ମୋ
ମନକୁ ଘାରି, ନଦେଇ ଫୁରୁସତ ଜମା
ମନପଞ୍ଜୁରୀକୁ ଗୋଟାକ ପରେ ଗୋଟାଏ ଅଭୁଲା
ପୁରୁଣା ସ୍ମୃତିକୁ ଛାଡ଼ି l
ଯଦି ମୁଁ ଯାନ୍ତି ଉଡ଼ି ପବନ ସାଥେ ଛୁଇଁ ବାକୁ କଳା
ମୁଚୁ ମୁଚୁ ବିଜୁଳି ଝଟକା ଧରୁଆ ଉଡ଼ାଣ ଆକାଶ
ବିମାନ, ଚାଲି ଯାନ୍ତି ଉଡ଼ି ତାପୃଷ୍ଠେ
ବସି ବୈକୁଣ୍ଠ ଭୁବନ ଭେଟି
ବାକୁ ଲକ୍ଷ୍ମୀ ନାରାୟଣ ଆଉ
ସୁଦରଶନ l
କରନ୍ତି ହାତ ଯୋଡ଼ି ପ୍ରାର୍ଥନା କରିବାକୁ ମତେ ପୁଣି ଶିଶୁ
ଟିଏ ବସୁମାତା କୋଳେ ନେଳିଆ ଆକାଶ ଚାନ୍ଦୁଆ
ତଳେ, ଭସେଇ ଦିଅନ୍ତିପୁଣି ମୁହିଁ
ସଗରବେ ତାଳି ମାରି ସୁନେଲି କାଗଜ ତିଆରି
ଛାତଡଙ୍ଗା ଠିଆ ହେଇ ପାହାଡ଼ୀ ଝରଣା କୂଳେ l