ଧ୍ୱଂସ ପାଇଁ ଦେଲା କିଏ ଅଧିକାର
ଧ୍ୱଂସ ପାଇଁ ଦେଲା କିଏ ଅଧିକାର
ଜୀବନ ସଦା ସର୍ବଦା ଜଡିତ ପ୍ରକୃତି ସହିତ
କେଉଁ ଆଦିମ କାଳରୁ
ଜୀବନର ଶାନ୍ତ ସରଳ ଧୈର୍ଯ୍ୟ ସରବ ଶିକ୍ଷା
ସଦା ମିଳେ ପ୍ରକୃତିରୁ ।
ପ୍ରକୃତି କୋଳରେ ଜନମରୁ ମୃତ୍ୟୁ ପର୍ଯ୍ୟନ୍ତ
ଚଳି ମଣିଷ ବଢି ଆସିଛି
ଆଜି ପୁଂଜିର ଆକର୍ଷଣରେ, କିନ୍ତୁ ଦେଖ,
ତାକୁ ପଛ କରି ବସି ଅଛି ।
ସେ ଆନନ୍ଦ ଖୋଜୁଅଛି ଖାଲି ଟଂକା ପଇସା
ଓ କୃତ୍ରିମତା ଠାରୁ
ଠେଲି ଜୀବନ ବର୍ତ୍ତିକାକୁ ଖୋଜଇ ବାଟ ରକ୍ଷା
ପାଇବାକୁ ପ୍ରଳୟରୁ ।
ପ୍ରକୃତିର ରୋଷ ହେଲେ ତାଣ୍ଡବ କରଇ, ତାହା
କେତେ ଭୟଙ୍କର
ଶିକ୍ଷା ପାଇଛି ସେ ଭୟତାରୁ ବୁଝୁ ଅଛି ଅବସ୍ଥା
ପ୍ରଳୟ ସମୟର ।
ଭୋଗିଛେ ସରବେ ଦୁଇ ହଜାର ଊଣାଇଶ
ମଇ ମାସ ଦୁଇ ତିନି,
କିପରି ନିର୍ଦ୍ଦୟ ମହାବାତ୍ୟାର ରୂପ ନେଇ ଆସି
ଚାଲିଗଲା ଫୋନି ।
ଚାହିଁଛୁ ଜଳକା ହୋଇ ରଚି ତାଣ୍ଡବ ବିଭୀଷିକା
ନାଶି ଦେଲା ଏ ପ୍ରକୃତି,
ଜନ ଜୀବନଠାରୁ କେତେ କେତେ ପ୍ରାଣୀଙ୍କ ଓ
ବିଭବର କରିଲା କ୍ଷତି ।
ସେବା ସଂସ୍ଥା ସବୁ ଅଚଳ ହୋଇଲା, ଯୋଗା
ଯୋଗ ହେଲା ବିଚ୍ଛିନ୍ନ,
ପାଣି ଆଲୁଅର ଅଭାବରେ ଏ ଟଂକାର ମଣିଷ
ସବୁ ଉବୁ ଟୁବୁ ଓ ଉଚ୍ଛନ୍ନ ।
ମୁଁ ମୋ ଛୁଆଟି ଦିନରୁ ଦେଖିଛି, ଆସିଅଛନ୍ତି
ଅନେକ ଫାଇଲିନ୍ ଘୁଡୁଘୁଡୁ,
ସୁନାମୀ ତିତିଲି ତୋଫାନ କରିଛନ୍ତି ଏଇ
ମଣିଷକୁ କେତେ ଜୁଡୁବୁଡୁ ।
ଦେଖ ପାହାଡ଼, ପର୍ବତ, ଜଙ୍ଗଲ, ଖଣିଜ ନଦ
ନଦୀ ଭରା ଏଇ ଧରା
ପ୍ରକୃତି ତ ଜଗତ ହସାଏ, ସେ ପ୍ରକୃତି ତ ସତ୍ୟ,
ଶିବ, ସୁନ୍ଦର ପରା ।
ଫୁଲ ଓ ଫଳ ଯୋଗାଇ ଆମକୁ ପ୍ରକୃତି ତ
ବିଶ୍ୱକୁ ଦିଅଇ ମହକାଇ
ଚରାଚର ଜଡ଼ ଜୀବ ସବୁ ଯେତେ ନିୟମ
ଭିତରେ ଗତି ତ କରଇ ।
ଖଦ୍ୟୋତିକା ତାର କ୍ଷୀଣ ଆଲୋକରେ
ଆମର ମନ ମୁଗ୍ଧ କରେ
ସୂର୍ଯ୍ୟ, ଚନ୍ଦ୍ର, ନଭ ଆନନ୍ଦ ଦିଏ ସରବଙ୍କୁ
ପରା, ଏଇ ଜଗତରେ ।
ପ୍ରକୃତି ଦତ୍ତ ବିଭବରେ ଜୀବ ସବୁ ପରା
ଆନନ୍ଦରେ ଖେଳିଥାନ୍ତି
ଏ ସରବେ ଅବିରତ ତାଙ୍କ କର୍ମରେ ନିଷ୍ପାପ
ଶିଶୁଟିଏର ମନକୁ ହସାନ୍ତି ।
ହେ ମଶିଷ ସମାଜ, ନଖଟାଇ ବିବେକ,
ସୃଷ୍ଟିକୁ ଏବେ ନଷ୍ଟ କର
ଯାହାର ସର୍ଜନା ଅସମ୍ଭବ, ତାହାର ଧ୍ୱଂସ
ପାଇଁ କିଏ ଦେଲା ଅଧିକାର ।
ଅନ୍ୟର ଯନ୍ତ୍ରଣା ନିଜ ଯନ୍ତ୍ରଣା ବୋଲି, ତୁମେ
ଅନୁଭବ କରିପାରିଲେ
କି ହେବ ଭୋଟ ପାଇଁ ବଜରଂଗ ବୋଲି ଦେଇ
ରୋଡ ଶୋ କରିଲେ ।
ଯେଉଁ ଆନନ୍ଦ ମିଳିଥାଏ କାହାକୁ ସାହାଯ୍ୟ,
ସହଯୋଗ, ସେବା କଲେ
ଲାଜ ଲାଗୁନି କି ଧରମ ନାମରେ ମଣିଷ
ମାନଙ୍କୁ ଭାଗ ଭାଗ କଲେ ।
ଯଦି ଅଛି ଦେଶ ସେବା ମନ ଜଙ୍ଗଲ ସୃଷ୍ଟି ପାଇଁ
କର ରୋଡ ଶୋ ଅଭିଯାନ
ତୋଫାନ ସବୁ ଦେଇଛନ୍ତି ଚେତାବନୀ, ସେଥିରେ
କିଆଁ ନାହିଁ ତୁମ ମନ ।
ଆସ ଆସ ମୋ ଭଉଣୀ ଭାଇ, ଲଗାଇବା
ଏକାଠି ସମସ୍ତେ ଗଛ
ସଭିଏଁ ଗଢିବା ନୂଆ ଜୀବନୀ, ଥିଲେ ଆମ
ଜଙ୍ଗଲ ସବୁ ହେବ ସ୍ଵଚ୍ଛ।
ମନେ ରଖ ଭଉଣୀ ଭାଇ ଆମ ଭଲ ପାଇବା
ଆମ ମାଧ୍ୟାକର୍ଷଣ ଶକ୍ତି
ନିଃସ୍ୱାର୍ଥ ପରୋପକାର ଦେଶ ସବା ଆମର ଅଟେ
ମହାକର୍ଷଣ ଶକ୍ତି ।
ଏ ଶକ୍ତି ବଳରେ ରୋଡ ଶୋ କରି ସମସ୍ତଙ୍କୁ
ଆମେ ଆକର୍ଷିତ କରିବା
ଭଗ୍ନ ସ୍ତମ୍ଭ ପୁଂଜିବାଦକୁ ଭାଂଗି, କଠିନ ସମ୍ପର୍କ
ର ବନ୍ଧ ସୃଷ୍ଟି କରିବା ।