ଦେଖିଛକି ପିଲେ ବାଇ ଚଢେଇ
ଦେଖିଛକି ପିଲେ ବାଇ ଚଢେଇ
ଦେଖିଛକି ପିଲେ ବାଇ ଚଢେଇ
କେତେ ପରିଶ୍ରମୀ ପକ୍ଷୀଟି ସେଇ,
ଦିନ ଦିନ ସଞ୍ଚି ନଡ଼ା ଓ କୁଟା
ଅତି ଯତନରେ ଘର ଗଢଇ ।
ଆମେମାନେ ସିନା କରୁ ଆଳସ୍ୟ
ଶୋଇ ପଡ଼ୁ ଦିନେ କରିବିଳାସ,
ରାତ୍ରୀ ପାହୁ ସେ ଯେ ଉଠିପଡଇ
ସଞ୍ଜ ହେଲେ ଯାଇ ମାରେ ନିଶ୍ୱାସ ।
ଦେଖି ନିରୋଳା ସେ ଗଢଇ ବସା
ଦୃଢମନବଳ ଉଚ୍ଚ ତା ଆଶା ,
କ୍ଷେତ ପାଖ ଅବା ପଡ଼ିଆ ଜାଗା
ନୁଆଣିଆ ଗଛ ତାର ଭରଷା I
ଯେତେ ଆସୁ ବାଆ ନାହିଁ ତା ଡର
ଭାରି ମଜଭୁତ୍ ତାହାରି ଘର ,
ନିଶ୍ଚିତରେ ରହେ ବରଷା ଦିନେ
ନେଇ ପିଲା ଛୁଆ ଛୋଟ ସଂସାର ।
ଟିକି ଚଢେଇ ସେ ଭାରି ସୁନ୍ଦର
ହଳଦୀ ମାଟିଆ ଦେହଟି ତାର ,
ସାହାସ ପଣରେ କେ ପାରେ ତାକୁ
ତା ପରିଶ୍ରମକୁ ଦେଖୁ ସଂସାର ।
ଆଉ ଦିଶୁନାହିଁ ବାଇଚଢେଇ
କାଳ ସଙ୍ଗେ ଗଲେ ସିଏ ଉଭେଇ,
ଜଳବାୟୁ ହେଲା ପରିବର୍ତ୍ତନ
ଦିନୁ ଦିନ ଗଲେ ସେ ଲୋପ ପାଇ ।
