ଦେଖିବି ମୁଁ ପାଦପଦ୍ମ
ଦେଖିବି ମୁଁ ପାଦପଦ୍ମ
ବରଷକେ ଥରେ ଆସିଅଛି ଆଜି
ଅଁଳା ନବମୀ ତିଥି
ମାତା ରାଧାରାଣୀ ଓଡିଆଣୀ ବେଶେ
ପୂଣ୍ୟ ଦରଶନ ବିଧି ।
ମାତା ପାଦପଦ୍ମେ ଝୁଣ୍ଟିଆ ପାଉଞ୍ଜି
ମୁଦ୍ରିକା ଅଳତା ନାଲି
ପିନ୍ଧି ପାଟ ଶାଢ଼ି କାଣିକଚ୍ଛା ମାରି
ପଣତ ପଡିବ ଝୁଲି ।
ଗଣ୍ଠି ପଡିଥିବ କାନି ପଛପଟେ
ଗୁଆ ଦୂବ ଓ ଅକ୍ଷତ
ପିନ୍ଧିଥିବେ ମାତା ସୁବର୍ଣ୍ଣ କୀରିଟି
ସେବତୀର ହାର ନୋଥ ।
ଅଁଳା ତାବିଜ ହରଡ଼ର ମାଳ
ଭୂଷଣ କମରପଟି
ରଙ୍ଗ ଫୁଲମାଳ ଅଁଳା କୋଳି ପତ୍ର
ତୁଳସୀ ଚନ୍ଦନ ଲାଗି ।
ବଡି ପ୍ରତ୍ୟୁଷରୁ ମଙ୍ଗଳ ଆଳତି
ଅଁଳା ପୂଜା ଅର୍ଚ୍ଚନା
ଶଙ୍ଖା ଓ ସିନ୍ଦୂର ହଳଦୀ ବସ୍ତ୍ରରେ
ହୁଏ ଅର୍ଘ୍ୟ ବନ୍ଦାପନା ।
ଚାଲେ ସୂର୍ଯ୍ୟପୂଜା ନଟବର ବେଶ
ମରଦନ ଅବକାଶ
ସରିଲେ ବଲ୍ଲଭ ସକାଳର ଧୂପ
ମଦନମୋହନ ଭୋଗ ।
ସରପୁଳି ଲଡୁ ଛତୁ ଲାଗେ ଭୋଗ
ପରିପୂର୍ଣ୍ଣ ନୀତିକାନ୍ତି
ସାହାଣ ହୁଅଇ ମନ୍ଦିରରେ ମେଲା
ମାତା ଦର୍ଶନ ଦିଅନ୍ତି ।
ଯୋଗୀ ଋଷି ମୁନୀ ଦେବଙ୍କୁ ଦୁର୍ଲଭ
ଦର୍ଶନ ଶ୍ରୀରାଧା ପଦ
ମିଳେ ସଦଗତି ମୁକତି ବିଭୂତି
ସେ ପଦୁ ଝରେ ଅମୃତ ।
ଦେଖିବି ଆଜି ମୁଁ ନୟନ ପୂରାଇ
ଶ୍ରୀରାଧା ପଦ ପଙ୍କଜ
ଲଭି ପରମାର୍ଥ ସୁତୀର୍ଥ ପ୍ରସାଦ
ଜୀବନ ହେବ ସାର୍ଥକ ।
------
