STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ଦେବୀ

ଦେବୀ

1 min
217


ହେ ଦେବୀ ନଦୀ!

ତୁ ଦେବୀ ହୋଇ ରହ

ତୁ ଦେବୀ ହୋଇ ବହ

ସାଜ ନାହିଁ ତୁ ଦାନବୀ

ଅବିଚାରର ପ୍ରତିବାଦରେ

ହେଉ ପଛେ ତୋ' ଧାରା

ପ୍ରାଚୀ ସରସ୍ଵତୀ ସମ ବିଲୁପ୍ତି

ତୁ ସାଜ ନାହିଁ ଦାନବୀ

ମାନବ ସଭ୍ୟତାର ହିତରେ!!

ସହରୀକରଣର କରୁଣ ପରିଣତିରେ

ଆଜି ତୋର ଶଯ୍ୟା ଅବରୋଧିତ

କଳ କଳ ନାଦ ତୋର ବାଧିତ

ତଥାପି ବି ତୁହି ବହି ଚାଲ

କ୍ଷୀଣକାୟା ପୁଣ୍ୟତୋୟା ଶିପ୍ରା ପରି

ମଉନରେ ଅଥଚ଼ ଉଦାତ୍ତ ଚିତ୍ତରେ

ତୋ ଚିର ଆକାଂକ୍ଷିତ ଗନ୍ତବ୍ୟମାର୍ଗରେ

କଦାପି କୂଳକୁ ନ ଲଙ୍ଘି ମର୍ଯ୍ୟାଦାରେ

କିଞ୍ଚିତ୍ କ୍ଷତି ନକରି କାହାରି!!

ତୋ ଶଯ୍ୟାରେ ଆଜି ଠିଆ

କେତେ କୋଠାବାଡ଼ି କଳ କାରଖାନା

ଦେବାଳୟ ଉପାସନାସ୍ଥଳୀ

ସହର ନଗର ସମୃଦ୍ଧ ଜନପଦ

କଙ୍କ୍ରିଟ୍ ଜଙ୍ଗଲର ଶୋଭା

ଦିଶେ ରମ୍ୟ ମନୋହର

ତୁ ଦେବୀ ହୋଇ ରହିବାରେ

ବହିବାରେ ହିଁ ସବୁରି ମଙ୍ଗଳ

କିଏ ବା ପାରିବ ଦେଖି

ତୋ ରୂପ କରାଳ??

ମନ ଉଣା କରି ଆଜି ଆଉ

ଚାଷୀଭାଇ ମାଗୁନାହିଁ ପାଣି

ନାହିଁ ଧାନ-ପାନ-ମୀନର ବେଉସା

କୋଠାବାଡ଼ିରେ ତ ନଗଦ ପଇସା

ହୋଇଯାଆ ତୁ ଶୁଷ୍କ ପଛେ

ସାଜ ନାହିଁ ହେ ଦାନବୀ

ନ ବଦଳା ତୋର ଗତିପଥ

ବ୍ରହ୍ମପୁତ୍ର ଅବା କୋଶୀ ପରି

କତିପୟଙ୍କ ପାପର ଫଳ

କାହିଁକି ଭୋଗିବେ ଜନତା ସକଳ??

ତୁ ସେମିତି ଦେବୀ ହୋଇ ରହିଥା

ଚିରକାଳ କ୍ଷୀଣକାୟା ହୋଇ ବହୁଥା

ଗୁପ୍ତଗଙ୍ଗା ସମ ମହୋଦଧିରେ ମିଶୁଥା

କୃତଘ୍ନ ମଣିଷର ହିତ ସାଧନ କରୁଥା

ଅନ୍ଯାୟ ଅବିଚାର ସବୁ ସହୁଥା

ତଥାପି ମୁରୁକି ମୁରୁକି ହସୁଥା

ଶାନ୍ତି ମୈତ୍ରୀ ପ୍ରୀତିର ଗୀତି ଗାଉଥା

ତୁ ସେମିତି ଦେବୀ ହୋଇ ବହୁଥା!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy