ଦେବଦାସୀ
ଦେବଦାସୀ
ଦେବଦାସୀଟିଏ କରିଦେ କାଳିଆ
ନାଚୁ ଥିବି ତୋ ଆଗରେ
ତୋ ନାଚ ମଣ୍ଡପେ ନାଚିବି କାଳିଆ
ଦେଖିଥିବୁ ଆନନ୍ଦରେ ।
ପାଦରେ ଘୁଙ୍ଗୁର ରହି ଥିବ ମୋର
ମୋ ନାଚ ଦେଖିବୁ ହୋଇ ତୁ ବିଭୋର
ପାହି ଯିବ ରାତି ତୋର ।
ଭାବ ଥିବ ତୋର ମୋର ।
ଶିଖେଇବୁ ନାଚ ତୁରେ କାଳିଆ
ତୋର ମନ ପସନ୍ଦର
ସୁର ତାଳ ଲୟ ସବୁ ଶିଖେଇବୁ
ଯେମିତି ନ ହେବୁ ଦୂର ।
ସଙ୍ଗୀତର ସୁରେ ସୁରେ ପାଦ ମୋର
ଥିବ ତାର ଭାବ ଭଙ୍ଗୀ
ଏକ ଲୟେ ତୁହି ଦେଖିବୁ କାଳିଆ
ନିଦ ତୋର ଯିବ ଭାଙ୍ଗି ।
ଆଖିରେ ଭରିବୁ ମାଦକ ଚାହାଣୀ
ବେଶଭୂଷା ସାଥେ ଭାବ ଭଙ୍ଗୀ ଠାଣି
ଝରୁ ଥିବ ପ୍ରୀତି ଝର
ନ ଥିବ ପଲକ ତୋର ।
ଆବଶ ଲାଗିଲେ ମୋର ଦୁଇ ପାଦ
ଥକିରେ ଯିବିନି ମୁହିଁ
ନାଚି ନାଚି ଯଦି ପଡି ଯିବି କେବେ
ଆସି ଧରି ନେବୁ ତୁହି ।
ଦେଖୁ ଥିବି ମୁହି ତୋ କଳା ବଦନ
ତୋ ବାହୁ ବନ୍ଧନେ ଥାଇ
ବୋହି ଯାଉଥିବ ଆଖି ଲୁହ ମୋର
ଅପଲକେ ଥିବି ଚାହିଁ ।
ଖୁସି ହେଇ ଖସି ତୋ ବାହୁରୁ ଆସି
ଆଗ ଅପେକ୍ଷା ମୁଁ ନାଚିବିରେ ବେଶୀ
ସୁର ଗୀତ ଗୋବିନ୍ଦର ।
ଅଧରରେ ହସ ତୋର ।
ରୁଣୁ ଝୁଣୁ ଶବ୍ଦ ପାଦର ଘୁଙ୍ଗୁରେ
ମନ ତୋର ମୋହୁ ଥିବି
ରାଧା ରାଣୀ ସିନା ହେଇ ପାରିବିନି
ଦେବଦାସୀଟିଏ ହେବି ।
କାନ ଶୁଣୁଥିବ ତୋ ବଇଁଶୀ ସୁର
ସେ ସୁରେ ବିଭୋର ହେବି
ନିଜେ ହଜି ଯାଇ ତୋତେ ହଜେଇବି
ରାତି ତୋ ପୁହାଇ ଦେବି ।
ସାରା ରାତି ଜଗା ହୋଇ ଉଜାଗର
ତୋ ପାଖରେ ରାତି ପାହି ଯିବ ମୋର
ନାଚୁଥିବି ନିରନ୍ତର ।
ଓଠେ ହସ ଥିବ ତୋର ।
ଗୀତ ଗୋବିନ୍ଦ ମୁଁ ଗାଇ ନାଚୁ ଥିବି
ସୁର ଏକା ଥିବ ତୋର
ତୋତେ ଦେଖି ଦେଖି ନାଚି ବି କାଳିଆ
ଦୁଃଖ ଭୁଲି ଯିବି ମୋର ।
ଲାଗୁ ତୁ ନିଜର ଅତି ଆପଣାର
ଖୋଲି କହି ଦେଲି ତୋତେ
ଦୋଷ ମୋର ଧରିବୁନି ତୁ କାଳିଆ
ଦୂରେଇ ଦେବୁନି ମୋତେ ।
ଯିଏ ଯାହା ଭାବୁ ମୋର କିବା ଯାଏ
ନିଜଠୁ ଅଧିକ ତୋତେ ଭଲ ପାଏ
ମୋ ପାଖୁ ହେବୁନି ଦୂର
ସାଥି ତୁ ଯୁଗ ଯୁଗର ।