ଦେବାଂଶୀ ବଂଶୀ
ଦେବାଂଶୀ ବଂଶୀ
ପ୍ରତିଦିନ ଯାଉଥିଲେ କୃଷ୍ଣ ଉପବନ
ଦେଖୁଥିଲେ ଫୁଲଫଳ ହୋଇ ସେ ତଲ୍ଲୀନ
ବୃକ୍ଷଲତାଙ୍କ ସହିତ ହୋଇ କଥାବାର୍ତ୍ତା
ବାଣ୍ଟୁଥିଲେ ସ୍ନେହ-ଶ୍ରଦ୍ଧା-ଦୟା-ପ୍ରେମ ବାର୍ତ୍ତା l
ସୂକ୍ଷ୍ମ ସ୍ପର୍ଶ ଚୁମ୍ବନରେ ଯେତେ ତରୁ ତୃଣ
କଳୀ-ପୁଷ୍ପ ସମ୍ମୋହିତ, ଦେହେ ଶିହରଣ
କୃଷ୍ଣ ଅଙ୍ଗ ସଙ୍ଗଲାଭ ଆହା କେତେ କାମ୍ୟ
ପରମଙ୍କ ଗହଣରେ ଶୋଭା ତାଙ୍କ ରମ୍ୟ l
'ମୁଁ ତମମାନଙ୍କୁ ଭଲପାଏ ପ୍ରତିକ୍ଷଣ'
କହି କୃଷ୍ଣ କରୁଥାନ୍ତି ସର୍ବେ ସମ୍ବୋଧନ
ତରୁଲତା ପୁଷ୍ପଫଳ ଦିଅନ୍ତି ଉତ୍ତର:
'ଆମେ ଭଲପାଉ ତମକୁ ହେ ଚିତ୍ତଚୋର!' l
ସେଦିନ କୃଷ୍ଣ ଆସିଲେ ତରତର ହୋଇ
ଉଦ୍ୟାନ ଭିତରେ ପ୍ରବେଶ ବ୍ୟଗ୍ର କହ୍ନେଇ
ତାଙ୍କ ମୁଦ୍ରା ଦେଖି ହେଲେ ସବୁ ଆଚମ୍ବିତ
କଣ ପାଇଁ ଆଜି ପ୍ରଭୁ ଏତେ ବ୍ୟତିବ୍ୟସ୍ତ? l
ସିଧା ଯାଇ ପହଞ୍ଚିଲେ 'ବାଉଁଶ'ର ପାଶ
ଆକର୍ଷିଲେ ପ୍ରସାରିତ କରି ବାହୁଫାଶ
ଦେଖି ତାଙ୍କ ଅତ୍ୟଧିକ ବ୍ୟତିବ୍ୟସ୍ତ ପଣ
ବାଉଁଶ ପଚାରେ ତାଙ୍କୁ ଏହାର କାରଣ l
ମ୍ଳାନ ହସରେ କହନ୍ତି ଶ୍ରୀକୃଷ୍ଣ: ହେ ଦ୍ରୁମ!
କାଟିବାକୁ ଚାହେଁ ତମ କାୟା, ମୁଁ ଅଧମ
ଅବୟବ କାଟିବାକୁ ଦେବ ଅନୁମତି
ବିଷମ ସମସ୍ୟାରେ ମୁଁ ହେଉଛି କାକୁତି l
ସବୁ ଶୁଣି ବୃକ୍ଷ କହେ: ଆହେ ଭାବଗ୍ରାହୀ
ମୋ କର୍ତ୍ତନର କଣ କିଛି ବିକଳ୍ପ ନାହିଁ?
କହ୍ନେଇ କହନ୍ତି ଶୁଣ ଆହେ ବୃକ୍ଷବର
ଆଉ କିଛି ବାଟ ନାହିଁ, ମୁଁ ଅଟେ ନାଚାର l
ସବୁ ଶୁଣି ଚିନ୍ତାକରେ ବାଉଁଶର ବୃକ୍ଷ
ପ୍ରଭୁଙ୍କ ହାତେ କ୍ଷତ ହେଲେ ପାଇବି ମୋକ୍ଷ
ଏମିତି କଷଣ ଶତଗୁଣେ ଶ୍ରେୟସ୍କର
ଯାହା ଚାହଁ ତାହା କର, ହେ ମୋର ଈଶ୍ୱର! l
ଏହାପରେ କୃଷ୍ଣ ହୋଇ ଅତି ଗଦଗଦ
କାଟିଲେ ବୃକ୍ଷର ଗଣ୍ଡି, କଲେ ପୁଣି ଛେଦ
ପ୍ରତି ଛେଦନରେ ବୃକ୍ଷ ପ୍ରାଣ କଲବଲ
ତଥାପି ସହ୍ୟ କରେ ନହୋଇ ହଲଚଲ l
ଅନ୍ୟ ଯେତେ ବୃକ୍ଷଲତା ଦେଖୁଥିଲେ ବସି
କିଏ କହେ ହାୟ କିଏ ହେଉଥାଏ ଖୁସି
କିଏ ତ ତଟସ୍ତ ପୁଣି କିଏ ଭୟଭୀତ
କିଏ କହେ ଆହା ପୁଣି କିଏ ଉତ୍ତେଜିତ ।
କଷ୍ଟ ସହି ନିର୍ବିକାର ନିଶ୍ଚଳ ସେ ବୃକ୍ଷ
ବାଉଁଶ ସେ ପ୍ରାଣ ଦେବ କରିଛି ସଂକଳ୍ପ
କାହ୍ନୁ ପାଇଁ କାୟା ଦାନ, ନାହିଁ ଆଉ ଭୟ
ବିଜ୍ଞ ବୃକ୍ଷ ସମର୍ପଣେ ରଖିଥାଏ ଲୟ l
ଏହାପରେ ଗଢ଼ାହେଲା ମୋହନଙ୍କ ବଂଶୀ
ବାଉଁଶ ବୃକ୍ଷ ହେଲା ଅମର-ଦେବଅଂଶୀ
ସୃଷ୍ଟି ହେଲା ଜଗତରେ ସୁଲଳିତ ସ୍ଵନ
ବଂଶୀ କଲା କୋଟି ମନ ପ୍ରାଣ ଉଚ୍ଚାଟନ l
ଅହୋରାତ୍ର ସଦାବେଳେ ପ୍ରଭୁ ଅଙ୍ଗେ ବାସ
ବାଉଁଶର ବଂଶୀ ରୂପ ଆହା କି ସରସ
ଗୋପୀ-ଗୋପାଙ୍ଗନାମାନେ ହୋଇ ଈର୍ଷାନ୍ୱିତ
ପଚାରିଲେ ବଂଶୀକୁ ତା'ର ଗୋପନ ସତ୍ୟ l
ଉଚ୍ଚାଟିତ ବଂଶୀ କହେ: ଶୁଣ ଗୋପାଙ୍ଗନା
ତମ ପରି ନାହିଁ ମୋର କାମନା ବାସନା
ପ୍ରଭୁ ହାତେ ଗଢ଼ା ମୁହିଁ ସାମାନ୍ୟ ବାଉଁଶ
ଲୋଡ଼ା ନାହିଁ ସ୍ୱର୍ଗ ମୋର: ନାହିଁ ଉଚ୍ଚ ଆଶ l
ପ୍ରଭୁ ଅଙ୍ଗେ ଓତପ୍ରୋତଃ ଭାବେ ମୁଁ ଜଡିତ
ରୂପାନ୍ତରିତ ଅବୟବ ମୋ ଉଲ୍ଲସିତ
ନାହିଁ କିଛି ଦୁଃଖ ମୋର ନାହିଁ ତ ଅଭାବ
ପାଇଛି ପ୍ରଭୁଙ୍କୁ, ରଖି ସମର୍ପଣ ଭାବ l
