ଦେବ ସ୍ନାନ
ଦେବ ସ୍ନାନ


ବୈଶାଖ ଶେଷରେ ଚନ୍ଦନ ଲେପନ
ଜ୍ଯେଷ୍ଠ ଶେଷେ ଦେବେ ଧୋଇ,
ଶହେଆଠ ଗରା ସୁନା କୂପ ଜଳେ
ସବୁ ପଡିବେ ଗାଧେଇ ।
ଚତୁର୍ଦ୍ଦଶୀ ଦିନ ମନ୍ତ୍ର ଉଚ୍ଚାରିଣ
ସୁନା କୂପୁ ଜଳ ଆସେ,
ସୁବାସିତ ପାଇଁ ଅଗୁରୁ ଚନ୍ଦନ
ମୁଥା ଅଷ୍ଟବନ୍ଧ ମିଶେ ।
ଆହୁରି ମିଶଇ ବାହାଡା ସଞ୍ଚିଷ୍ଠା
ହରିତାଳ ତାମ୍ରପର୍ଣ୍ଣୀ,
ଚୁଆ ଗୋରଚନା ଲୋଧା ଆମକଳୀ
ଦେବଦାରୁ ସୋମପର୍ଣ୍ଣୀ ।
ପଇଁତ୍ରୀଶ ଗରା ଜଗନ୍ନାଥ ଙ୍କର
ବଡ ଭାଇଙ୍କ ତେତିଶ,
ବାଇଶି ଗରାରେ ସୁଭଦ୍ରାଙ୍କ ସ୍ନାନ
ସୁଦର୍ଶନ ଅଷ୍ଟାଦଶ ।
ଏପରି ଭାବରେ ଜଳ ଭାଗହୋଇ
ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ।
ସ୍ନାନବେଦୀ ପରେ &nbs
p;ଏହି ସ୍ନାନ ଦେଖି
ପୁଲକିତ ଭକ୍ତ ମନ ।
ସ୍ନାନ କଲା ବେଳେ କାଳିଆ ମାନସେ
ସେହି ଦୃଶ୍ୟ ଆସେ ଭାସି,
ଦ୍ଵାପର ଯୁଗରେ ଗୋପୀ ଜଳକ୍ରିଡା
ଦେଖୁଥିଲା ନିଜେ ବସି ।
ଏବେ ସେହି କଥା ଓଲଟି ଯାଇଛି
ପ୍ରଭୁ କରୁଛନ୍ତି ସ୍ନାନ,
ଭକ୍ତି ଭାବ ସହ ଆନନ୍ଦ ମନରେ
ଦେଖନ୍ତି ଜଗତ ଜନ ।
ଦେଖିବାକୁ ସେହି ଅନୁପମ ଦୃଶ୍ୟ
ମନ ମୋର ହାଇଁପାଇଁ
ମନଯାନ ଖଣ୍ଡେ ମିଳନ୍ତାକି ମୋତେ
ସେଠାକୁ ଯାଆନ୍ତି ଧାଇଁ ।
ସ୍ନାନ ମଣ୍ଡପରେ ଦର୍ଶନ କରନ୍ତି
ଗଜାନନ ମୃତ ବେଶ,
ଗଣପତି ଭଟ୍ଟ ଭକ୍ତ ମନ ରଖି
ହୋଇଥିଲେ ଏହି ବେଶ ।
ଦୁର୍ଯ୍ୟୋଧନ ବାରିକ