ଡଙ୍ଗରର ରାଣୀ ଡଙ୍ଗରିଆଣୀ
ଡଙ୍ଗରର ରାଣୀ ଡଙ୍ଗରିଆଣୀ


ଡଙ୍ଗରର ରାଣୀ ଡଙ୍ଗରିଆଣୀ
ନାହିଁ ପାଦେ ଅଲକ୍ତକ
ସିନ୍ଥିରେ ତା ସିନ୍ଦୁରର ଧାର,
ଓଠେ ରକ୍ତରଞ୍ଜନୀ ବା
ନାହିଁ ନେତ୍ରେ କଜଳର ଗାର
ସାଧାସିଧା ନାରୀଟିଏ
ସରଳ ତା' ଜୀବନ କାହାଣୀ
ଯିଏ ଯାହା ଡାକୁ ତାକୁ
ମୋ ପାଇଁ ସେ ଡଙ୍ଗରର ରାଣୀ।
ଅନ୍ଧକାର ଛାତିଚିରି
ପୂର୍ବଦିଗେ ସୂରୁଜ ଉଇଁଲେ,
କର୍ମବତୀ ଡଙ୍ଗରରେ
ଫଳମୂଳ ପତ୍ର ଖୋଜି ବୁଲେ,
ବିକ୍ରିଲାଗି ଶିରେ ଧରି
ଅତିକ୍ରମେ ଅନେକ ସରଣୀ,
ଯିଏ ଯାହା ଡାକୁ ତାକୁ
ମୋ ପାଇଁ ସେ ଡଙ୍ଗରର ରାଣୀ।
ମୂଲଚାଲ ଜାଣେ ନାହିଁ
ଜାଣେ ଖାଲି ମଣିଷପଣିଆ,
ପଣ୍ୟଦ୍ରବ୍ୟ ମାଗଣାରେ
ଦିଏ ଶୁଣି କଥା ମିଠାଳିଆ,
ବୁଝେ ନାହିଁ ମିଛସତ
କହିଚାଲେ ସୁମଧୁର ବାଣୀ,
ଯିଏ ଯାହା ଡାକୁ ତାକୁ
ମୋ ପାଇଁ ସେ ଡଙ୍ଗରର ରାଣୀ।
ମଦାଳାସା ହେଇ ଫେରେ
ସଞ୍ଜବେଳେ ପାଦ ଟଳମଳ,
ପିଲାଛୁଆ ପତି ମେଳେ
ଖେଳେ ପୁଣି ସଂସାରର ଖେଳ
ସର୍ବଗୁଣ ଅଳଙ୍କୃତା
ରୂପବତୀ ପାହାଡୀ ରମଣୀ,
ଯିଏ ଯାହା ଡାକୁ ତାକୁ
ମୋ ପାଇଁ ସେ ଡଙ୍ଗରର ରାଣୀ।