ଡଙ୍ଗା
ଡଙ୍ଗା
ଭାସି ଯା ନୌକା ଭାସି ଯା ଡଙ୍ଗା
ଭାସି ଯା ମୋର ନାବ
ବିଦେଶୁ ଆଣିବୁ ହୀରା ଲୀଳା ମୋତି
ପରଶିଣ ସ୍ନେହ ଭାବ ।
କହିବୁ ରେ ଡଙ୍ଗା ମୋ ଦେଶ ମାଟିର
ସୁପୁତ୍ର ବୀରର ଗାଥା
ମନ୍ଦିର ମାଳିନୀ ଭୂବନେଶ୍ୱରର
ଗରବେ ଉଠାଣ ମଥା ।
କଟକ ଚଣ୍ଡିର ମହନତା କେତେ
କ୍ଷଣିକେ ଶୁଣନ୍ତି ଡାକ
ମହାନଦୀ ବନ୍ଧ ଉପକାର କେତେ
ଜାଣନ୍ତି ଜଗତ ଲୋକ ।
ପଶ୍ଚିମ ଓଡ଼ିଶା ମାଟି ମା କୋଳେ
ପ୍ରକୃତି ସଂପଦ ଭରା
ସେହି ସଂପଦର ଗାୟନ କରିବୁ
ଶୁଣିବେ ଦୁନିଆଁ ସାରା ।
ନଦୀ ସାଙ୍ଗେ ତୋର ଯେଉଁ ପ୍ରୀତି ଭାବ
ସର୍ବଦା ସାଇତି ଥିବୁ
ନଦୀ ଜଳେ ତୋତେ ଆନନ୍ଦେ ପୂଜିବୁ
ଆଶୀଷ ବର୍ଷାଇ ଦେବୁ ।
ଏପାରିରୁ ନେଇ ସୁଖ ଶାନ୍ତି ବାର୍ତ୍ତା
ସେପାରିରେ ଦେଇ ଥାଉ
ଆଜି ତୋର ଦୁଃଖ ମାନବ ବୁଝେନା
ପାଇ ଆଧୁନିକ ଭାଉ ।
କବି ଝୁରୁ ଥିବ ତୋ ବକ୍ଷରେ ବସି
ତୋର ଉପକାର ଲେଖି
ତୋ ନୟନୁ ଯେବେ ଲୋତକ ଝରିବ
କବିତା ହୋଇବ ଦୁଃଖି ।
ବେନି ଜନ ମଧ୍ୟ ଥାଉ ସଦ୍ଭାବ
କେହି ନରହନ୍ତୁ ପାଶେ
ସ୍ରୋତସ୍ବିନୀ ତୀରେ ତୋର ମୋର ବସି
ସଂଗୀତ ଲେଖିବା ହର୍ଷେ ।
