ଡହକ
ଡହକ
ପ୍ରହେଳିକାର ଡହକରେ ଜଳି ଜଳି
ଟିକେ ଶୀତଳ ଛାଇର ଆଶାରେ
ଚାହୁଁଥିଲି ଫେରିବାକୁ ପଛକୁ
ଆପଣାର ଅତୀତକୁ
ଗଲାକାଲିର ସୁଖଦ କଥାସବୁକୁ
ଆଉଥରେ ଜୀଇଁବାକୁ ମନଭରି
ଫେରିଯିବାକୁ ଚାହୁଁଥିଲି
ବିଗତ ବିସ୍ମୃତ ସ୍ମୃତିରାଜିକୁ।
ସମୟ ଯାନରେ ପଛକୁ ଫେରି
ସେଇ ଅତୀତକୁ ଯାଇ ଯାହା
ଦେଖିଲି ଶୁଣିଲି ଅନଭବ କଲି
ମୁଁ ଆଉ ମୁଁ ହୋଇ ନାହିଁ
କି ନାହାଁନ୍ତି ମୋର ସାଙ୍ଗସାଥି
ସହଚର ସତୀର୍ଥ ଅନୁଚର ବର୍ଗ
କିଏ କୁଆଡ଼େ ଚାଲିଗଲେଣି
କେତେ ଆଗକୁ ପ୍ରଗତିର
ରାଜପଥରେ ଦୃତଗତିରେ
ଆପଣା ଆପଣା ଅତୀତକୁ ପାଶୋରି
ଭବିଷ୍ୟତର ସନ୍ଧାନରେ।
କାହିଁ କେଉଁ ଅଜଣା ଦିନରୁ
ସେମାନେ ହୋଇଯାଇଛନ୍ତି ସଭିଏଁ
ଅଚି଼ହ୍ନା ପରସ୍ପର ପାଇଁ
କଦାକାର କୁତ୍ସିତ ସଅଁବାଳୁଆରୁ
ରଙ୍ଗୀନ୍ ପ୍ରଜାପତି ପାଲୋଟି ଥୋକେ
ଉଡ଼ିଗଲେଣି ଡେଣା ମେଲି
ଫଗୁଣର ଫୁଲ ପାଖକୁ
ଆଉ କେହି ମଧୁମକ୍ଷୀ ସାଜି
ମଧୁ ସଞ୍ଚିବାରେ ମଗ୍ନ
ଛାଡିଯାଇଛନ୍ତି ଯାହା କିଛି ପଦଚିହ୍ନ।
ସେଠି ମୋତେ କେହି ବି
ଚିହ୍ନିବା ଜାଣିବା ସଙ୍ଖୋଳିବା ତ ଦୂର
ବୟୋଜ୍ଯେଷ୍ଠ ଅଗ୍ରଜ ଭାବେ
କଲେ ନାହିଁ ଆଦର ସତ୍କାର
ସଭିଏଁ ସେଠି ଅଧୁନା ଧୋବ ଫରଫର
ଚିତ୍ରିତ ଛବିଳ ବିହଙ୍ଗ
ମୁଁ ଏକମାତ୍ର କଦାକାର
କୁତ୍ସିତ ଘୃଣିତ ବାଞ୍ଛିତ ସରୀସୃପ
କିଏ ବା କାହିଁକି ପଦେ କଥା ହେବ?
ମୁଁ ଏବେ ଚିନ୍ତାକରେ
ବର୍ତ୍ତମାନରେ ଜୀଉଁଥିଲି ଠିକ୍ ଥିଲି
ପ୍ରହେଳିକା ବି ଠିକ୍ ଥିଲା
ଅତୀତକୁ ଘାଣ୍ଟିଚକଟି
ସ୍ମୃତି ବିସ୍ମୃତିକୁ ସାଉଁଟି
ମନକୁ ପୁନଃ ପୁନଃ ମନ୍ଥି
ମୁଁ ପାଇଲି ବା କଣ?
ଡହକ ଆଉ ଡହକ!