STORYMIRROR

Niranjan Mishra

Classics

4  

Niranjan Mishra

Classics

ଦାରିଦ୍ର୍ଯ ଭଞ୍ଜନୀ ମାଗୋ କମଳିନୀ

ଦାରିଦ୍ର୍ଯ ଭଞ୍ଜନୀ ମାଗୋ କମଳିନୀ

1 min
256


ଦାରିଦ୍ର୍ଯ ଭଞ୍ଜନୀ ମାଗୋ କମଳିନୀ

ପଦ୍ମପାଦେ ତୋ ନମଇ ।

ଦୀନ ଅକିଞ୍ଚନ ଜଣାଣ କରୁଛି

ତୋ କୃପା ଈକ୍ଷଣ ପାଇଁ ।୧।

ଦାରିଦ୍ର୍ଯ ଦୀନର ହୋଇଥାଏ ଦୂର

କିଞ୍ଚିତ ଦୟାରେ ତୋର ।

ମହିମା ତୋହର ଆଗୋ ଦୟାମୟୀ

ଦେବତାଙ୍କୁ ଅଗୋଚର  ।୨।

ଯେତେ ଅରଜିଲେ ପେଟ ନପୂରିବ

ନହେଲେ ତୋର କରୁଣା ।

ଶ୍ରଦ୍ଧା ଭକତିର ଦେବୀ ତୁ ଜନନୀ

କ୍ଷୀରାବ୍ଧିତନୟା ରମା  ।୩।

କଣାଏ କରୁଣା ବିତରୁ ଯାହାକୁ

କୁବେରକୁ ଜିଣେ ସିଏ ।

ଧନ ଜନ ଗୋପ ଲକ୍ଷ୍ମୀ ମିଳେ ତାକୁ

କେଉଁଥିରେ ଊଣା ନୋହେ ।୪।

ଦୋରେହା ତୋହର ସଂସାର ଭିତରେ

କେତେ ଦୁଃଖ କଷ୍ଟ ପାଏ।

ପେଟ ଚାଖଣ୍ଡକ ନପୂରଇ ବାର

ଦ୍ବାର ଶୁଣ୍ଢିପିଣ୍ଡା ହୁଏ। ୫।

ନିଜେ ଜଗନ୍ନାଥ ବଳରାମ ଭାଇ

ଆଚରିଲେ ଦ୍ରୋହ ତୋତେ।

ଭିକ୍ଷା ନପାଇଲେ ଅନ୍ନ ଜଳ କିଛି

ନମିଳିଲା ଏ ଜଗତେ ।୬।

ବଦଳିଲା ମନ ତୋର ଦୁଆରରେ

ଉଭା ହେଲେ ବେନିଭାଇ।

ଅନ୍ନ ଜଳ ଦେଇ ପ୍ରାଣ ରକ୍ଷା କଲୁ

କେତେ ପଣ କଲୁ ତୁହି ।୭।

ଚଣ୍ଡାଳ ହାତରୁ ବଡ ଦେଉଳରେ

ବ୍ରାହ୍ମଣ ଖାଇବେ ଭାତ ।

ଛଡାଇ ଖାଇବେ ଖାଇ ସାରି ସର୍ବେ

ମୁଣ୍ଡରେ ପୋଛିବେ ହାତ ।୮।

ସର୍ତ୍ତରେ ତୋହର ରାଜି ହୋଇ ପ୍ରଭୁ

ବଡ ଦେଉଳକୁ ନେଲେ ।

ଯୁଗ ଯୁଗ ପାଇଁ କୀରତି ରଖିଲ

ଶୁଣି ସର୍ବେ ନିସ୍ତରିଲେ ।୯।

ଦାରିଦ୍ର୍ଯ ଭଞ୍ଜନୀ ମାଗୋ କମଳିନୀ

ଶ୍ରୀପାଦେ ତୋହର ଅଳି ।

ଦରିଦ୍ର ଜନର ଦାରିଦ୍ର୍ଯ ହରିବୁ

ହେଉଛି ମୁଁ ନିଉଛାଳି ।୧୦।

ବିଷ୍ଣୁ ବକ୍ଷସ୍ଥଳେ ନିବାସ କରିଛ

ତୁମ ପଦେ ମୋର ମନ ।

ଚିରକାଳ ରହୁ ଏ ବିନତି କରେ

ମୁହିଁ ଦୀନ ଅକିଞ୍ଚନ ।୧୧।



Rate this content
Log in

Similar oriya poem from Classics