ଦାମ୍ପତ୍ୟ
ଦାମ୍ପତ୍ୟ
ହାତ ସହ ହାତ ଯୋଡିଦେଲେ ସେମାନେ
ମୋ ସହ ତୁମର ସେଦିନ
ତୁମ କପାଳରେ ନାଲି ସିନ୍ଦୂର
ହାତେ ସୁନା କଙ୍କଣ ଗୋଡେ ରୂପା ପାଉଁଜି
ଆଖିରେ ଆଖିଏ ସ୍ଵପ୍ନର ଗହଣା ମାଖି
ଚାଲିଆସିଥିଲ ମୋ ପାଖକୁ ।
ପାଖେ ବସି ଖୁବ ଲାଜ କଲ
ଅପରିଚିତ ଅଚିହ୍ନା ଲୋକ ପରି
ମୋ ଘନ ଘନ ଖର ନିଶ୍ଵାସେ
ତାପରେ ତରଳିଗଲ ବରଫ ଭଳି
ମୋ ସାରା ଶରୀରରେ
ଝୁଣିବାକୁ ଲାଗିଲ ରକ୍ତମାଂସ
ମଝି ନଈରେ ଅଣନିଶ୍ଵାସୀ କରି
ପହଁରା ଶିଖାଉ ଶିଖାଉ ହାତଛାଡିଦେଲ
କହିଲ ଏବେ ନିଜେ ପହଁରିବାକୁ
ଚେଷ୍ଟା କର ବିନା ସାହାରାରେ ।
ଚଳଚଳ ପାଣି ପିଇ ଆଖି ଲାଲ କରି
ଖଣ୍ଡିଉଡା ଚଢେଇ ଭଳି
ଡେଣା ଝାଡୁଥିଲି ଆକାଶେ ଉଡିଶିଖିବାକୁ
ଠିକ ସମୟେ ତୁମେ ହାତଛାଡି
ଫେରାର ହେଲ କେଉଁ
ରାବଣର ପୁଷ୍ପକ ବିମାନର ଲୋଭେ
ସୁନାର ମୃଗଟିଏ ଧରିଆଣିବାକୁ ଜିଦ୍ ଧରି ବସିଲ
ବନବାସୀର କଣ ମନ ବୋଲି ନାହିଁ
ମୁକ୍ତ ଭାବେ ଉଡିଯିବାକୁ ଆଉ କେଉଁଠିକୁ ।
ସାହାସ କେମିତି ହେଲା ତୁମର
ଲକ୍ଷ୍ମଣର ତିନିଗାର ଡେଇଁଯିବାକୁ
ମୋ ଆଖି ଆଗେ ପ୍ରତିଦିନ ଅଗ୍ନିପରୀକ୍ଷା
ଦେବାକୁ ହେବ ତୁମକୁ
ସନ୍ଦେହର ରଜକ କଥା ଶୁଣି
ମୁଁ ସବୁଦିନ ମର୍ମାହତ ଚିନ୍ତାଗ୍ରସ୍ତ ଏଠି ।
ସତୀତ୍ଵ ଯଦି ପରଖିହୁଅନ୍ତା ଆଖିର ନିଆଁରେ
କେବେଠାରୁ ତୁମେ ମିଛ କହିବା ଛାଡିସାରନ୍ତନି
ଭଲ ପାଇବାର ଅଭିନୟ ଦରକାର ପଡନ୍ତା ନାହିଁ
ଅଭିମାନର କଳା ଓଢଣୀ ପକାଇ
ବିଶ୍ଵାସର ସଫେଦ କପଡାରେ
କାଳି ଜମା ବି ଲାଗନ୍ତାନି
ସେମିତି ସେ ରୂପା ଜହ୍ନ ଭଳି ହସୁଥାନ୍ତା
ସବୁଦିନ ଆମ ଦାମ୍ପତ୍ୟ ଆକାଶରେ ।
