STORYMIRROR

Chinmaya Kumar Nayak

Tragedy

3  

Chinmaya Kumar Nayak

Tragedy

ଦାଦନର ଆତ୍ମଗାଥା

ଦାଦନର ଆତ୍ମଗାଥା

1 min
217

ଦିନ ଥିଲା ଦିନେ ମୁଁ ବି ଗୋଟିଏ ମଣିଷ ଥିଲି

ଖିଆଲି ପଣରେ ଦାଣ୍ଡଧୂଳି ପରେ ଖେଳୁଥିଲି,

କର୍ତ୍ତବ୍ୟ କଠୋର ବେଳ ଆସିଲା

କାନ୍ଧରେ ସଂସାର ଜୁଆଳି ପଡିଲା

ଖେଳ ଛାଡି ଅର୍ଥ ସନ୍ଧାନରେ ଏବେ ଗୋଡ଼ କାଢିଲି।


ଜମି କେଇ ଗୁଣ୍ଠ ଚାଷ କରି ବାପା ଅଣ୍ଟା ନଇଁଲା

ବଢ଼ି ଓ ମରୁଡ଼ି ସହ ଯୁଝି ଯୁଝି ଦିନ ବିତିଲା,

ଅପୁରା ପେଟରେ ବୁଡ଼ିଲା ଭେକ

ସରକାର ଆଗେ ମାଗିଲି ଭିକ

ସରକାରୀ କଳ ନଥିତଳେ ପ୍ରାଣ ବନ୍ଧା ପଡିଲା। 


ଚାକିରିଟେ ପାଇଁ ଅଣ୍ଟା ଭିଡ଼ି କେତେ ସ୍ଥାନ ବୁଲିଲି

କିଏ ମାଗେ କିଛି ଖର୍ଚ୍ଚପାଣି କା'ଠୁ ଗାଳି ଖାଇଲି,

ଭାରିଜା ଗହଣା ବନ୍ଧାରେ ରଖି

ଦୋକାନଟେ କଲି ଜାଗାଟେ ଦେଖି

ବଟି ଚାନ୍ଦା ଆଉ ବାକି ଦେଇ ଦେଇ ମୂଳ ହାରିଲି। 


ଅଭାବୀ ଚିନ୍ତାରେ ବାପା ହତାଶରେ ଖଟ ଧରିଲା

ମାଆ ମୋ ଉପାସେ ବାପା ମୁଖ ଚାହିଁ ଲୁହ ଝାରିଲା,

ଭାରିଜା ଆଖିରେ କୋହର ବୁନ୍ଦା

ଗଳାରେ ମୋ ସତେ ଅସହ୍ୟ ଫନ୍ଦା

କିକରିବି ବୋଲି ଭାଳି ଭାଳି ମୋର ବୁଦ୍ଧି ହଜିଲା। 


ନିରୁପାୟ ହୋଇ ଘର ଛାଡ଼ି ଦିନେ ସୁରଟ ଗଲି

ମୁଁ କୁଆଡେ ଆଉ ମଣିଷ ନୁହେଁ ଆଜି ଦାଦନ ହେଲି,

ରକତ ନିଗାଡି କରିଲି ଶ୍ରମ

ନିଜକୁ ଶସ୍ତାରେ କଲି ନିଲାମ

ଯାହା ହେଉ ପଛେ ମାସ ଶେଷେ କିଛି ହସ ଅର୍ଜିଲି। 


ମୋ ଜୀବନ ବିକି ତିନି ପ୍ରାଣୀଙ୍କର ପେଟ ପୁରିଲା

ଭଙ୍ଗା ଚାଳ ତଳେ ଏତେ ଦିନେ କିଛି ଖୁସି ବାସିଲା,

ନିଜ ପେଟ କାଟି ସଞ୍ଚିଲି ଧନ

କୋଠାଟିଏ ଗଢ଼ି ରଖିଲି ମାନ

ସେଇ ଖୁସି ମହକରେ ମୋ ଆୟୁଷର କ୍ଳାନ୍ତି ହଜିଲା।


ଦାଦନ ଶ୍ରମିକ ଯିଏ ଯାହା କହୁ ଲାଗେନା ଲାଜ

ଜୀବନ ପଥେ ମୁଁ ଏକା ଚାଲେ ମୋର ଅଣ୍ଟା ଦରଜ,

ଗର୍ବିତ ଭାବେ ମୋ ସଂସାର ପାଳେ

ସୁଖେ ହସେ ଦୁଃଖେ ଅଶ୍ରୁ ନିଗାଡେ

ଛାତି ଫୁଲାଇ ମୋ ସଂସାର ରାଜ୍ୟର ଉଡ଼ାଏ ବିଜୟ ଧ୍ଵଜ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy