STORYMIRROR

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

ଦାଦନ

ଦାଦନ

1 min
172


  ମହାଜନ ଋଣ ବୋଝକୁ ମୁଣ୍ଡେଇ

        ଛୁଆ ପିଲା ସାଥେ ଧରି

 ଦାଦନ ଯାଆନ୍ତି  ଆମ ଗାଁ ଲୋକେ

       ଧାନ କଟା ଗଲେ ସରି

  ମା'ର କାଖରେ କୁନି ଛୁଆଟାତ

        ଜୁଳୁ ଜୁଳୁ ଚାହୁଁଥାଏ

 ବଡ ପିଲାଟା ସେ ବାପ ହାତ ଧରି

       ଆଗେ ଆଗେ ଚାଲୁଥାଏ

ଅଧିକ ମଜୁରୀ  ବେଶି ରୋଜଗାର

       ସପନ ଦେଖାଇ କେତେ

ଭୁଲେଇ ଲୋକଙ୍କୁ  ଦଲାଲ ନିଅଇ

      ଅଜଣା ରାଇଜେ ସାଥେ

ଛାତି ଦୁଲୁକେଇ   ରେଳ ଗାଡ଼ି ଚାଲେ

       ଥରିଯାଏ ପାଦ ତଳ

ପଛେ ରହିଯାଏ  ଗାଁ ବିଲ ବାଡି

        ଭିଟାମାଟି ନଈ ନାଳ

କାହିଁ କେତେ ଦୂର   ଅଜଣା ସହରେ

     ଦଲାଲ ଦିଅଇ ଛାଡ଼ି

ରାତି ନପାହୁଣୁ    କାମ କରି ବାକୁ

     ଠିକାଦାର କରେ ରଡି

ଦିନ ସରେ ପୁଣି  ମାସ ସରିଯାଏ

      ମାଗଣାରେ ଖଟି ଖଟି

ପାଉଣା ମାଗିଲେ ମାଡ଼ ଖାଇ ଖାଇ

      ପିଠି ଯାଏ ପରା ଫାଟି

କିଣା ଦାସ ପରି ନିଇତି ଯାତନା

     ଭାବିଲେ ଥରଇ ଛାତି

ଫେରିବାର ରାହା ଖୋଜିଲା ବେଳକୁ

    କଳାମେଘ ଯାଏ ଘୋଟି

ଉଜୁଡା ଘରକୁ  ସଜାଡିବା ପାଇଁ

   ପୁଅ ଯାଏ କଥା ଦେଇ

ଫେରିବା ବାଟକୁ  ଚାହିଁଥାଏ ବାପା

  ପୁଅ ଆସେ 'ମଡା' ହୋଇ

ଅନ୍ଧାରୀ ମୂଲକେ ଗରିବ ଜୀବନ

    ଅକାଳେ ହୁଅଇ ଇତି

ତଥାପି ଗାଁ ରୁ ଫି ବର୍ଷ ଲୋକେ

  ଯାଆନ୍ତି ଦାଦନ ଖଟି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy