ଦାଦନ
ଦାଦନ


ପେଟ ପାଇଁ ଯିଏ ନିଜ ଦେଶ ଛାଡ଼ି
ପରବାସରେ ଖଟନ୍ତି,
ତାକୁ କୁହାଯାଏ ପ୍ରବାସୀ ଦାଦନ
ଏକଥା ସର୍ବେ ଜାଣନ୍ତି ।
ସେହି ଦାଦନ ତ ସମୟ ଯନ୍ତ୍ରରେ
ଯନ୍ତ୍ରିତ ହୋଇଣ ଆଜି,
ବିଷମ ସଙ୍କଟେ ଅସହାୟ ପଣେ
ମାତୃଭୂମି ହେଲା ଖୋଜି ।
ସିଏ ସେଠି, ଘରେ ସ୍ତ୍ରୀ, ବାପାମାଆ
ଝରାଇଲେ ଆଖି ଲୁହ,
କୋରୋନା ଭୂତାଣୁ ଦେଇଛି ସର୍ବଙ୍କୁ
ଆଜି ଦୁଃଖ ଦୁର୍ବିସହ ।
ଜୀବନରେ କିଏ କାହା ସାଥେ ଆଉ
ହୋଇବେ କି ନାହିଁ ଦେଖା,
<p>ସେଥିପାଇଁ ସର୍ବେ ଭାଳେଣି କରିଲେ
ମନରେ ଜଗାଇ ଶଙ୍କା ।
କିଏ ଚାଲିଚାଲି ଘର ବାହୁଡ଼ନ୍ତି
କିଏ ତ ସାଇକେଲରେ,
ପିଲାଛୁଆ ଧରି ଘାତ ପ୍ରତିଘାତେ
କେତେ ଭୋକ ଉପାସରେ ।
ତାଙ୍କ ଦୁଃଖ ଦେଖି ସରକାର ଆମ
ଭରିଲେ ମନରେ ଆସ୍ଥା,
ଯନ୍ତ୍ରଯାନେ ତାଙ୍କୁ ଫେରାଇ ଆଣିଲେ
କରି ବିଭିନ୍ନ ବ୍ୟବସ୍ଥା ।
କ'ଣ ନାହିଁ ଆମ ଏ ମାଆ ମାଟିରେ
କାହିଁକି ହେବା ଦାଦନ ?
ନିଜ ସିଂହେ ଯଦି ମାଟି ଖୋଳୁଥିବା
ସୁଖରେ କଟିବ ଦିନ ।