STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଚପଲ କହୁଛି

ଚପଲ କହୁଛି

2 mins
357


ହୋଇପାରେ ମୁହିଁ ପାଦ ତଳ ଚିଜ

    ସବୁଠୁଁ ତଳେ ମୋ ସ୍ଥାନ,

କିନ୍ତୁ ତଳେ ଥାଇ ଉପରେ ମୋ ଦୃଷ୍ଟି

    ବହୁତ ବଡ଼ ମୋ ମନ।

ଦେଖୁନା ହେ ବାବୁ ଆପଣଙ୍କ ଦେହ

     ଭାର ମୁହିଁ ବହୁଅଛି,

 ଆପଣଙ୍କ ପାଦ ସେବା ମୁଁ କରୁଛି

     ତାକୁ ସୁରକ୍ଷା ଦେଉଛି।

କେତେ କଣ୍ଟାଝଟା କାଚରେ କ୍ଷତାକ୍ତ

     ମୁଁ ପଛେ ହେଉଥାଏ,

 ତଥାପି ସେ କଷ୍ଟ ସହି ତୁମ ପାଦ 

     ପୁଣି ରକ୍ଷା କରୁଥାଏ।

ଏତେ କଲାପରେ ତୁମର ମୋପରେ

    କାହିଁ ଏତେ ହତାଦର,

ସିଡିଘର ତଳେ, ଗେଟ୍ ଅଗଣାରେ

    କାହିଁକି ମୋତେ ଫୋପାଡ ?

ଚପଲ ମାହାତ୍ମ୍ୟ ଯଦି ଜାଣିଥାନ୍ତ

    ମୋତେ ଆଦର କରନ୍ତ,

ମଣିଷ ସହିତ ଅଛି କି ସମ୍ପର୍କ

    ସେ କଥା ବୁଝିପାରନ୍ତ।

ତ୍ରେତୟା ଯୁଗରେ ରଘୁମଣିଙ୍କର

    ଚରଣେ ପାଦୁକା ଥିଲି,

ପ୍ରଭୁଙ୍କ ନାମରେ ପରିଚିତ ହୋଇ 

    ନିଜେ ଧନ୍ୟ ହୋଇଗଲି।

ଭରତ ମୋତେ ତ ପୂଜାକରୁଥିଲେ

    ପ୍ରଭୁଙ୍କ ବିଗ୍ରହ ଭାବି,

କଠ‌ଉ ହୋଇ ଯେ ମୁନିଋଷିଙ୍କର

    ଚରଣ ଥାଏ ମୁଁ ଜଗି।

ଆଜି ସେ ଚପଲ ଅବଶ୍ୟ ତାହାର

    ଆକୃତି ବଦଳେଇଛି,

ଚମଡା,ରବର , ପ୍ଲାଷ୍ଟିକ ଇତ୍ୟାଦି

    ଉପାଦାନେ ମିଳୁଅଛି।

ବେଳେବେଳେ ମୁହିଁ ଡୁଆଲ‌ ସିମ୍‌ର

    କାମ ବି ତ କରିଥାଏ,

ପାଦ ତଳୁ ଆସି ଆଉ କାହା ଗାଲେ

    ଠାଏ ଠାଏ ବସିଥାଏ।

ବେଳେବେଳେ‌ପୁଣି ତାଆସ ଖେଳରେ

    ଚପଲ ବି ଉଠିଥାଏ,

ସତେଯେମିତି ବା ମାଡ଼ ଗୋଳ ପାଇଁ 

    ବାଡି କି ଠେଙ୍ଗା ନ ଥାଏ। 

ଚେଙ୍ଗ ରାଶି ବେଙ୍ଗ ରାଶି ଆମସାହି

    କୁନା ବାପା ବୋଉଙ୍କର,

କୁନା ବାପା ପୁଣି ଚପଲ ଧରିଲେ

    ଝାଡ଼ୁ କୁନାବୋଉଙ୍କର।

କଥାଟିଏ ମୋର ମନେ ପଡ଼ିଯାଏ

     କହୁଛି ବାବୁ ମୋ ଶୁଣ,

ଝୁଲଣ ଅପା ମୋ ଫିଟ୍‌ଫାଟ୍ ହୋଇ

     ମାର୍କେଟ ଗଲେ ସେଦିନ।

ଅପା ମୋର ଯେଣୁ ଅତ୍ୟନ୍ତ ସୁନ୍ଦରୀ

     ସ୍କୁଟି ଚଢି ଯାଉଥିଲେ,

ଭଲ ଡ୍ରେସ୍ ପିନ୍ଧି ଅତି ସରାଗରେ

     ମୋତେ ପାଦେ ପିନ୍ଧିଥିଲେ।

ହିରୋଇନ୍ ଭଳି ଅପା ତ ମୋହର

     ଅତି ସୁନ୍ଦର ଦିଶନ୍ତି,

ବାତେରା ଟୋକାଙ୍କ ନଜରରେ ଅପା

     ବାରମ୍ବାର ପଡୁଥାନ୍ତି।

ଅପା ମୋର କିନ୍ତୁ ଚରିତ୍ରବତୀଟି

     ଖରାପରେ ନାହିଁ ମନ,

ନିଜ ଦାୟୀତ୍ବଟା ବଡ ତାଙ୍କ ପାଖେ

     ତାଙ୍କର ଅନେକ ଜ୍ଞାନ।

ବଜାର ସ‌ଉଦା କରୁଥିଲା ବେଳେ

     ଛତରା ଟୋକାଟା ଆସି,

ଅପାଙ୍କ ଦେହରେ ଘସି ହୋଇ ଆଇ

     ଲଭ୍‌ ଇୟୂ କହେ ହସି।

ଅପା ମୋର ଆଉ ଡେରିକଲେ ନାହିଁ

     ପାଦରୁ ମୋତେ କାଢିଲେ,

ଠାଏଠାଏ କରି ଛତରା ଟୋକାର

     ଗାଲେ ଖାଲି ସେକି ଦେଲେ।

ସେଇଠି ମୋହର ଚପଲ ଜୀବନ

     ସାର୍ଥକ ଯେ ହୋଇଗଲା,

ପାଦରେ ରହିବା ଜିନିଷଟି ଆଜି

    କେତେ ବଡ଼ କାମ କଲା।

ଆଉ ଗୋଟେ କଥା କହିବି ତୁମକୁ

    ଶୁଣ ବାବୁ ମନ ଦେଇ,

ଶ୍ରୀବଳଦେବଙ୍କ ଦର୍ଶନ ପାଇଁକି

    ଗଲେ ମୋ ପ୍ରମୋଦ ଭାଇ।

ପ୍ରମୋଦ ଭାଇ ମୋ ଫଟା ରସିକକୁ

    ବଡ଼ କଞ୍ଜୁସ୍‌ଟେ ସେହି,

ଚପଲ ଷ୍ଟାଣ୍ଡରେ ମୋତେ ରଖିଲେନି

    ବାହାରେ ଗଲେ ସେ ଥୋଇ।

ଭାଇ ମୋର ଯାଇ ମନ୍ଦିର ଭିତରେ

    ଠାକୁର ଦର୍ଶନ କଲେ,

ଚପଲ ଚୋରର ହାବୁଡ଼େ‌ ପଡ଼ିଲି

    ସିଏ ମୋତେ ନେଇଗଲେ।

ଭାଇ ମୋର ଆସି ମୁଣ୍ଡ ଆଉଁସି କି

    ଏଣେ ତେଣେ ଚାହୁଁଥିଲେ,

ଛିଣ୍ଡା ଚପଲ ସେ ହଳେ ସେଠି ଦେଖି

‌‌ ପାଦରେ ଗଳେଇଦେଲେ।

ଗାନ୍ଧୀ ଗୋପବନ୍ଧୁ ପାଦର ପାଦୁକା

    ହେବାପାଇଁ ମୁହିଁ ଚାହେଁ,

ମଦୁଆ ପାଦରେ ଥିଲା ବେଳେ ମୁହିଁ

    ଅପମାନ ଭାରି ପାଏ।

କେତେବେଳେ ମୋତେ ପିନ୍ଧିଥିବ ପଟେ

    ଆଉ ପଟେ ହଜିଥିବ,

ଆଉକେବେ ପୁଣି ନିଶାରେ ମୋତେ ସେ

    ହାର କରି ଗଳେଇବ।

ଚପଲ କହିଲେ ସମାଜ ବୁଝୁଛି

    ସବୁଠାରୁ ପରା ହୀନ,

ପାଦକୁ ସୁରକ୍ଷା ଦେଇଥାଏ କିନ୍ତୁ

    ମହତ ତାହାର ଗୁଣ। 

ଚପଲ ମାହାତ୍ମ୍ୟ ଏତେ ଯେ ମହାନ୍

    ବାବୁମାନେ ଶୁଣୁଥାଅ,

ଚପଲ ମୋ ସାଥୀ ଏ ମୂର୍ଖ ଅପର୍ତ୍ତି

    ଚପଲର କରେ ଜୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy