STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଚୋର ପୁରାଣ

ଚୋର ପୁରାଣ

2 mins
261


ବନ୍ଦ‌ଇ ଦେବ ଜଗନ୍ନାଥ,

ତୁମେ ତ ଲକ୍ଷ୍ମୀଙ୍କ ଗେରସ୍ତ।


ଦୁନିଆଁ ଗଢିଲ‌ ସ୍ଵହସ୍ତେ,

ସଭିଙ୍କୁ ଚୋର କରି ମର୍ତ୍ତ୍ଯେ।


ନିଜେ ବି ଅଟ ବଡଚୋର,

ବସ୍ତ୍ର ହରିଛ ଗୋପୀଙ୍କର‌।


ବିଭିନ୍ନ କିସମ ଚୋରଙ୍କୁ,

କରି ଛାଡିଲ‌ ଦୁନିଆଁକୁ।


ଦୁନିଆଁ ମଧ୍ଯେ‌ ମୋର ଘର,

ମୋ ଘରେ ଅଛି ଏକ ଚୋର‌।


ସେ ଅଟେ ଘରଣୀ ମୋହର,

ନିତି କରେ ମୋ ପକେଟ୍‌ମାର।


ମୋ ମନ ଧନ ପାଖେ ନାହିଁ,

ପାନ ଚୋରଟି‌ ମୁଁ ଅଟ‌ଇ।


ପୁଣି କେତେକ ପ୍ରେମ ଚୋର, 

ଅଛନ୍ତି ସଂସାର ‌ ମଧ୍ୟର।


ପ୍ରେମ କରିବା ତାଙ୍କ କାମ,

ପ୍ରେମିକ ପଣେ ସେହି ଧନ୍ୟ।


ଝିଅଙ୍କୁ ପ୍ରେମ କରୁଥାନ୍ତି,

ଶେଷରେ ଧୋକା ସେ ଦିଅନ୍ତି।


ଅନ୍ଯ ଚୋରଙ୍କ କଥା ମୁହିଁ,

ସଂକ୍ଷେପେ‌ କହୁଛି ବୁଝାଇ।


ଚାଉଳ ଚୋର ସେ ଅଟ‌ଇ,

ଗଞ୍ଜୋଡ,ମଦୁଆଟି‌ ଭାଇ।


ବାହାଘର କି ଭୋଜୀ‌ ବେଳେ,

ମସଲା ଚୋର ଦେଖା ମିଳେ।


କେତେକ ରୋଷେୟା‌ ପୂଜାରୀ,

କରନ୍ତି ମସଲା ସେ ଚୋରୀ।


ସନ୍ତର୍ପଣରେ‌ ଚୋରୀ କରି,

ନିଅନ୍ତି ବେଅଗରେ ଭରି।


ଆସିଲେ ଅନ୍ୟ ଏକ ଚୋର,

ଗାମୁଛା ଚୋର ନାମ ତାର।


କେତେକ କୁଳ ପୁରୋହିତ,

ମେଳାର ସାମଗ୍ରୀ କିଛିତ।


ଗାମୁଛା ଭୋଗ ଚୋରୀ କଲେ,

ଆନନ୍ଦେ ସ୍ଵସ୍ଥାନ‌ ଚଳିଲେ।


ଅଛନ୍ତି ପୁଣି ଏକ ଚୋର,

ରକତ‌ ଶୋଷନ୍ତି ଆମର।


ଡେଙ୍ଗୁ ମଶା ସେ ରକ୍ତ ଚୋର,

ମାରକ‌ ଦଶା ସେ ଆମର।


ଆବର‌ ଅନ୍ୟ ଏକ ଚୋର,

ଦେଶ କରନ୍ତି ପୁଣି ଖୋଳ।


ପାହାଡି ମୂଷା ନାମ ତାର,

ବେଶ ଯେ ଧୋବ ଫର ଫର।


ପୁଣି ଦେଖୁଛି ଏକ ଚୋର,

ମଠ ଆଶ୍ରମେ‌ ତାଙ୍କ ଘର।


ଅଦ୍ଭୁତ ଚୋରୀ କରୁଥାନ୍ତି,

ଭକ୍ତର ଆବେଗକୁ ନିତି।


ଅନ୍ଯ ଚୋରଙ୍କ ମଧ୍ୟେ ସାର,

ଆୟୂଷ ଚୋର ନାମ ତାର।


ଡାଇବେଟିସ ରୂପେ ଆସେ,

ଆମରି ଶରୀରରେ‌ ପଶେ।


ବିଭିନ୍ନ ରୋଗକୁ ସେ ଡାକେ,

ଯନ୍ତ୍ରଣା ଦିଏ ଥାଇ ପାଖେ।


ପୁଣି ଇଜ୍ଜତ ଚୋର ଭାଇ,

ବୁଲନ୍ତି ନିଶକୁ‌ ଫୁଲେଇ।


ଯୁବତୀ ଚାଲାଣ କରନ୍ତି,

ଦୁଷ୍କର୍ମମାନ କରୁଥାନ୍ତି।


ଏମାନେ ବେଶୀ ସାଂଘାତିକ,

ୟାଙ୍କଠୁଁ କାଟିବ ସମ୍ପର୍କ।


ସଂସାର ଚୋରର ଆଳୟ‌,

ଶିକ୍ଷା କି ସେ ଚିକିତ୍ସାଳୟ।


କାର୍ଯ୍ୟାଳୟ କି ଭାର୍ଯ୍ଯାଳୟ,

ସବୁଠିଁ ଚୋରଙ୍କର‌ ଜୟ।


ଚୋର ଯେ ବିଭିନ୍ନ ପ୍ରକାର,

ଅଟନ୍ତି ସେହୁ ସ୍ଵାର୍ଥପର।


ଚୋରଙ୍କୁ ବିଶ୍ଵାସ ଯେ ନାହିଁ,

ବିଶ୍ଵାସେ ବିଷ ସେ ଦିଅଇ।


ଏଟିଏମ‌୍‌ ଟଙ୍କା ପୁଣି ଲୁଟେ‌,

ସୁବିଧା ଦେଖି ତଣ୍ଟି‌ କାଟେ।


ସବୁଠୁଁ ଭୟଙ୍କର ଚୋର,

ସେ ଆମ ଅତି ଆପଣାର।


ଆମ‌ ଭାବନା‌ ଚୋରୀ କରି,

ଦେଖାନ୍ତି ସେ ନିତି ଖାତିରି।


ଅନ୍ଯର କଳା ଶବ୍ଦ ନେଇ,

ନିଜ କଲମେ ସ୍ଥାନ ଦେଇ।


କବିତା ଚୋର ପରା ଏଇ,

ଏହାଙ୍କୁ ଚିହ୍ନିରଖ‌ ଭାଇ।


ମୁଁ କୋଉ ଅଟେ ଭଲ ଲୋକ,

ମୁଁ ବଡ଼ ଚୋରଟି‌ ଅବଶ୍ୟ।


ତୁମର ଟିକେ ଭଲ ଗୁଣ,

ଚୋରୀ କରିବା ମୋ ଲକ୍ଷଣ।


ମୋହର ଦୋଷ ଧର ନାହିଁ,

ମୁଁ ଚୋର‌ ଅପର୍ତ୍ତି କହ‌ଇ।


Rate this content
Log in

Similar oriya poem from Comedy