ଚଞ୍ଚଳ ମୁଁ ଯିବି ଘର
ଚଞ୍ଚଳ ମୁଁ ଯିବି ଘର
ଛାଡ଼ିଦିଅ ମୋର ଅଞ୍ଚଳ ମୋହନ
ଚଞ୍ଚଳ ମୁଁ ଯିବି ଘର ,
କେତେ କାମ ତେଣେ ବାକି ପଡ଼ିଅଛି
ମାଡ଼ୁଅଛି ତେଣୁ ଡର ।
କୁମ୍ଭ ଘେନି ଦାଣ୍ଡେ ଆସିଲା ବେଳକୁ
ଚାହୁଁଥିଲେ କେତେଜଣ ,
ତାଙ୍କରି ଭିତରେ ଠରାଠରି ହୋଇ
କହୁଥିଲେ ମୋତେ କ'ଣ ।
ତରତର ହୋଇ ଧାଇଁ ଆସିଲି ମୁଁ
କାନ ଡେରିଲିନି ଜମା ,
ତୁମ ସହ ଭେଟ କରିବା ଲାଗି ହେ
ଘରେ ହୋଇଅଛି ମନା ।
ହେ ହଟନାଗର ଜଞ୍ଜାଳ କରନା
ଓଗାଳନା ଆଉ ବାଟ ,
ତୁମ ନାମେ ପରା ବରଜଟା ସାରା
ବସୁଅଛି କେତେ ହାଟ ।
ମନ ଭୁଲାଣିଆ କଥା କହି କହି
ବିଳମ୍ବ କରନା ଶ୍ୟାମ ,
ସାରା ନଗରରେ ରଟିଯିବ ନିନ୍ଦା
କରମ ତ ମୋର ବାମ ।

