ଚନ୍ଦ୍ରମା
ଚନ୍ଦ୍ରମା
ସୁରୁଜ ଆଲୋକେ ଆଲୋକିତ
ହୋଇ ସ୍ନିଗ୍ଧ ଶୀତଳ ସୁଧା ।
ଢାଳୁଛ ଚନ୍ଦ୍ରମା ସଦା ସରବଦା
ତୃପ୍ତ ହୁଏ ବସୁଧା । ୧।
ଅମୃତ କଣା ଢାଳି ଦେଉଅଛ
ବନସ୍ପତି ଉପରେ ।
ପୁଷ୍ଟ ହୋଇ ସେ ତୁଷ୍ଟ ହୋଇ ସେ
ଔଷଧ ରୂପ ଧରେ ।୨।
ଔଷଧ ନାମ ବହିଛ ଚନ୍ଦ୍ରମା
ମୁଖର ଉପମା ତୁମେ ।
ପ୍ରିୟ ପ୍ରିୟା ଭାବ ରାଗ ଅନୁରାଗ
ଦେଉଛ ଆମ ମରମେ ।୩।
ଜାତ ହେଲ ତୁମେ ହରିଙ୍କ ମନରୁ
ଆମରି ମାନସେ ରହି ।
ମନର କାରକ ସନାତନ ଧର୍ମ
ତୁମକୁ ସଦା କହଇ ।୪।
ତୁମରି କୌମୁଦୀ ଲଭି କୁମୁଦିନୀ
ପ୍ରମୋଦରେ ଉଲ୍ଲସିତ ।
ପାଇବା ପାଇଁକି ତୁମରି ପରଶ
ହୋଇଥାଏ ପ୍ରସ୍ଫୁଟିତ ।୫।
ସକଳ ଧବଳ କୁସୁମ ବିକଚ
ତୁମରି କିରଣ ପାଇ ।
ଚକୋର ଚକୋରୀ ହରଷିତ
ମତି ତୁମରି ଭାବକୁ ବହି। ୬।
କ୍ଷୀରାବ୍ଧିତନୟା ଭ୍ରାତା ଚନ୍ଦ୍ରମା
ଚନ୍ଦ୍ରଶେଖର ମଉଳି ।
ଦେବତା ପିତର ପ୍ରୀତିଦାତା ତୁମେ
ଶ୍ରେଷ୍ଠ ଗ୍ରହ ତୁମେ ବଳୀ ।୭।
ପ୍ରୀତି ତୁମ ପାଶେ ଥିଲେ କୃଷ୍ଣେ
ଶୁକ୍ଳେ କ୍ଷୟ ବୃଦ୍ଧି ଯେଉଁପରି ।
ହୁଅଇ ତୁମର , ଶତ୍ରୁକ୍ଷୟ ଆତ୍ମ-
ବୃଦ୍ଧି ହୁଅଇ ଆମରି ।୮।
ରାହୁ କେତୁ ଗ୍ରସ୍ତ ହୁଅ କେତେବେଳେ
ଆମକୁ ଚେତାଇ ଦେଇ ।
ସୁଖ ଦୁଃଖ ଆସେ ଜୀବନରେ ସଦା
କିଛି ବି ସ୍ଥିର ନୁହଇ ।୯।
ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ
ଆସିବ ଏ ଜୀବନରେ ।
ଚନ୍ଦ୍ରମା ତୁମ ଅମୃତ ଧାରା
ବରଷୁ ଥାଉ ଧରାରେ ।୧୦।