ଚକ୍ରଧାରୀ କଳା କହ୍ନେଇଁ
ଚକ୍ରଧାରୀ କଳା କହ୍ନେଇଁ
ଏ ମରତ ଧାମେ ଜନମ ନେଇଛି
ମିଛ ମୋହ ମାୟା ଘେରରେ ଅଛି
ମନେ ପଡୁନାହିଁ କେଉଁଦିନ କେବେ
କୃଷ୍ଣ କେଶବ ନାମ ନେଇଛି I
କେମିତି ଅବା ମୁଁ ଡାକିବି ମାଧବ
ରାଧା ଭାବ ମୋର ଟିକିଏ ନାହିଁ
ମୋତେ ଲାଗୁଛୁ ତୁ ଗାଈଆଳ ଟୋକା
ଯଶୋଦା ମା'ର କଳା କହ୍ନେଇ I
ତୁ ଯେ ପରଂବ୍ରହ୍ମ ସୃଷ୍ଟି ରକ୍ଷକ
ଏକଥା କେବେ ମୁଁ ଭାବିନି ମନେ
ଏତେ ରାକ୍ଷାସଙ୍କୁ ମାରିଛୁ ବୋଲି ତୁ
ପରତେ ଯାଇନି କେବେ ମୁଁ ଦିନେ I
ମୋ ଭାବନା ମୋର ମନରେ ରହିଛି
ତୁ ନଟ ଖଟିଆ ମୁରଲୀଧାରୀ
ତୋ ଭାବରେ ମୋର ମନକୁ ରଙ୍ଗେଇ
ତୋ ପାଖକୁ ମୋତେ ନେଇଛୁ ଭିଡି I
ମୀରା ପରି ଦିନେ ପୂଜିନାହିଁ ତୋତେ
ମୋ ହୃଦେ କେମିତି ଗଲୁ ତୁ ରହି
ତୋ ରଙ୍ଗରେ ମୋର ମନ ରଙ୍ଗେଇଲୁ
ମାୟାଧର ତୋର ମାୟା ଲଗାଇ I
ହେ ଗୋପୀ ବଲ୍ଲଭ କରୁଣା ସାଗର
ଚକ୍ର ଆଢୁଆଳେ ରଖିଥା ସଦା
ତୋ ପଦ ପଙ୍କଜୁ ମନ ମୋ ନହଟୁ
ଆସୁ ପଛେ ଯେତେ ସଂସାର ବାଧା I
