ଚିଠି
ଚିଠି
ଅବ୍ୟକ୍ତ ବେଦନାର ପରିପ୍ରକାଶ
ଉଦବେଳିତ ମନର ପରମ ବିଶ୍ବାସ
ବହୁ ପ୍ରତୀକ୍ଷିତ ମୂହୁର୍ତ୍ତର ଉଛ୍ଛାସ
ଅବିସ୍ମରଣୀୟ ଆତ୍ମ ଚିନ୍ତନର ହର୍ଷ ଉଲ୍ଲାସ
ମଧୁର ଅଭୁଲା ଅତୀତର ଭାବ ବିନ୍ଯାସ।
ଅତୀତଟାକୁ କଲେ ଅବଲୋକନ
ଆରମ୍ଭ ଓ ଶେଷର ହୁଏ ସ୍ମୃତିଚାରଣ
ଏବେ ଦୁଃଖ ଏବଂ ସୁଖର
ହାତମୁଠାରେ ବର୍ତ୍ତମାନ
ଦୁଇ ପଦ ପତ୍ରରେ ଲେଖିଦେଲେ
ପ୍ରାଣକୁ ମିଳେ ଆଶ୍ବସ୍ତି, ମନ ହୁଏ ଆସ୍ବାଦନ,
ସମ୍ଭାଳିଯାଏ ହୃତପିଣ୍ଡର ସ୍ପନ୍ଦନ।
ଭୁଲ କର ନାହିଁ ହେ ମାନବ
ଭୁଲନା ସେ ଅମୂଲ୍ଯ ରତନ
ପତ୍ରାଚାର ର ବିଧି ବିଧାନ
କର ନାହିଁ ଚିଠିର ମୂଲ୍ଯାଙ୍କନ
ପୁରୁଣା ହେଲେ ବି ସେ ମୂଲ୍ଯବାନ;
ଚିଠି ଭିତରେ ଏବେ ବି ବଞ୍ଚିଛି ଜୀବନ
ବନ୍ଦ ଲଫାପାଟିଏ ଖୋଲିବାରେ ଥାଏ ସମ୍ମୋହନ;
ମନ, ହୃଦୟ, ପ୍ରାଣ ପ୍ରତୀକ୍ଷାରେ ହୁଏ ଆଲୋଡନ
ଶତ ଶତ ବର୍ଷ ପରେ ବି ସେ ପତ୍ର ଅମ୍ଳାନ
ମୃତବତ ସେ ଆପଣେଇ ଥାଏ କେଉଁ ଏକ ସ୍ଥାନ;
ସଂଜ୍ଞାହୀନ ଚିଠିର ସଂଜୀବିତ ହୁଏ ପ୍ରାଣ
ତାକୁ ଛୁଇଁଦେଲେ ମିଳିଯାଏ ଅମୃତର ସନ୍ଧାନ।
ଅବକ୍ଷୟିତ ଧରାବକ୍ଷୁ ଅପସରି ଯାଉଛି ସେ
ଚିଠି ଲେଖାର ଆଚାର ବ୍ଯବହାର
ହୋଇପାରେ ମିତବ୍ୟୟିତା
ଅବା ଆଳସ୍ୟପରାୟଣତା
କିମ୍ବା ଅତ୍ଯାଧୁନିକ ବିଜ୍ଞାନୀଙ୍କ ବିଜ୍ଞତା ଅବା
ବଞ୍ଚି ବଞ୍ଚେଇବାର ଅମିତ ପରାକ୍ରମୀ ଚେଷ୍ଟା
କିନ୍ତୁ ଧିରେ ଧିରେ ସଫଳତାର ମହା ଆକର୍ଷଣକୁ
ଅନୁସରଣ କରୁଥିବା ଏ ମଣିଷ
ବିଫଳତାର ସ୍ବାଦ ଚାଖିଲାପରେ ବି
ସତର୍କତାର ବହୁଦୂରେ ଆଉ ଏକ
ଦିଗବଳୟର ସୀମାନ୍ତରେ ଅପେକ୍ଷାରତ
କମ୍ପ୍ୟୁଟର ବିଜ୍ଞାନର ମାୟା ଓ ଛାୟାର
କପଟ ପଞ୍ଝା ରେ ଧିରେ ଧିରେ କବଳିତ।
