ଚିର-ଅଭୁଲା ସ୍ଥାନ
ଚିର-ଅଭୁଲା ସ୍ଥାନ
ଯେବେ ମୁଁ ନଭଶ୍ଚୁମ୍ଭୀରୁ ବୀତସ୍ପୃହ ହେଲି
କେତେ କାଳ ପରେ ଦର୍ଶନ ମୁଁ କଲି
ଶସ୍ୟ-ଶ୍ୟାମଳା ସବୁଜ କ୍ଷେତ
ସତେ ଅବା ଚାହିଁବସିଥିଲେ
ବଉଳ, ମକର, କୁଟୁମ୍ବ, ମଇତ୍ର....
ଦେଖିଲି ସେଠି ମୁଁ ସଂସ୍କୃତି-ପରମ୍ପରା
ଜୀବଦାନ ପାଇଥିଲେ ଘେନି ଆତ୍ମୀୟତାର ଆଶ୍ରା
ଶାନ୍ତ-କମନୀୟ ଥିଲା ପ୍ରତିଟି ମାହୋଲ
ଓଷା-ପର୍ବ ସୃଜୁଥିଲା ମତାଣିଆ ଗହଳଚହଳ..!
ପାଇଗଲି 'ବିଶ୍ଵ-ଭ୍ରାତୃତ୍ୱ'
ଭୁଲିଗଲି ମୁଁ କର୍ମଜଞ୍ଜାଳର ବିବ୍ରତ ତତ୍ତ୍ଵ
ଚମତ୍କୃତ କରିଦେଲା ମତେ..
ସ୍ନେହ-ପ୍ରେମ-ପରିବାରର ଅଭେଦ୍ୟ ଦୁର୍ଗ ସତେ !
ଜାଣିନି ମୁଁ...
ଆଧୁନିକତାରେ ପଞ୍ଜୀକୃତ କି ନୁହେଁ ତା' ନାଆଁ !
ତଥାପି ନିତି ଦେଉଥିଲା ବଞ୍ଚିବାର ରାହା ।
କହୁଥିଲା ତ' ପଦେ ଆଶ୍ୱାସନାର 'ଆହାଃ' !!
ଦାତବ୍ୟରେ ଉପଲବ୍ଧ ହେଲା ମା'ର କୋଳ
ବଧୂ ଦୀପଦାନେ ବୃନ୍ଦାର ଚାନ୍ଦିନୀ
ଦିଶୁଥିଲା ଭାରି ଉଜ୍ଜ୍ୱଳ...
ମହମହ ବାସୁଥିଲା ପିଠାପଣାର ମନଜିଣା ବାସ୍ନା
ଇଚ୍ଛା ଥିଲା ଭୁଲିଯାଇ ମୋ ଅଳିକ ତୃଷ୍ଣା
ପୂର୍ଣ୍ଣ କରିବାକୁ ଜୀବନର ଶେଷ ତୃଷ୍ଣା...
ସେଇ ଚିର ଅଭୁଲା ସ୍ଥାନଟିର ନାଆଁ
ଅମୃତବର୍ଷୀ ଯା'ର ପଦଛୁଆଁ
ମୋ ଆତ୍ମୀୟ-ଆପଣାର.... "ଗାଆଁ"...