STORYMIRROR

Jyochhna rani Devi

Inspirational

4  

Jyochhna rani Devi

Inspirational

ଲେଖନୀ ଗୋ

ଲେଖନୀ ଗୋ

1 min
270


ଲେଖନୀ ଗୋ ମୋର ଅତି ପ୍ରିୟତମ ଆସିଥିଲ କେବେ ସତେ

ଅମୃତ ଲଗନ କେଉଁ ତିଥିରେ ଗୋ ଥିଲ ମୋର ସାଥେ ସାଥେ

ଅତି ଅନ୍ତରଙ୍ଗ ବନ୍ଧୁ ହୋଇଯିବ ଜାଣି ନ ଥିଲି ବାଳୁତେ

ଟାଣି ନେଇଗଲ ଜଣାରୁ ଅଜଣା ରହି ସଦା ମୋର ହାତେ ।


ଭରିଦେଲ କେତେ ନବ ଉନ୍ମାଦନା ଅପୂର୍ବ ସେ ଭାବାବେଗ

କେଉଁଆଡେ ଚାଲ ରଥ ତୁମ ବାହି ଦେଇ ରାଗ ଅନୁରାଗ

କରବାଳ ଠାରୁ ଶାଣିତ ତୁମର ମୁନର ସୌଷ୍ଠବ ଠାଣି

କାହାକୁ ହସାଇ କାହାକୁ ରସାଇ କାହାକୁ ପକାଅ ହାଣି ।


ଚାଲିଥିବ ମୋର ସାଥେସାଥେ ତୁମେ ନବ ସରଜନା କରି

ଚାଲିଯିବି ଦିନେ ତୁମ ଥିବ ରହି ଅଲିଭା ଆଲୁଅ ଭରି

କିଏ ଜାଣେ କହ କେତେବାଟ ଯିବି ତୁମ ସାଥେ ସାଥି ହୋଇ

ମଧୁମୟ ବାର୍ତ୍ତା ପ୍ରୀତିର ପୁଲକ ଭରିଦିଅ ସାଥେ ରହି ।


ତୁମ ପାଇଁ ଚାଲି ପାରେ ଗଉରବେ ସଂସାର କଲ୍ୟାଣ ପାଇଁ

ବିତରି ପାରୁଛି କିଛି ତ ବାରତା ମାନବ ଜୀବନ ପାଇ

ବିଶ୍ଵ ହିତେ ପ୍ରାଣ ଲାଗିବା ପାଇଁ ଗୋ ତୁମେ ତ ମୋର ମାଧ୍ୟମ

ଦୁର୍ଲ୍ଲଭ ଜନମ ନୋହୁ ଗୋ ବିଫଳ ପୁରାଅ ମୋ ମନସ୍କାମ ।


ହେ ମୋର ଲେଖନୀ ଚିର ସଂଜୀବନୀ ହୋଇ ରହିଥାଅ ଚେଇଁ

ଦୁଃଖି ଓଠେ ହସ ସୁଖିକୁ ସୁପଥ ଦିଅ ଗୋ ସଦା ଦେଖାଇ

ଶ୍ରମିକର କ୍ଳାନ୍ତି ବିରହୀର ଜ୍ଵାଳା ନିମିଷେ ନିଅ ଉଭେଇ 

ଦୀନବନ୍ଧୁ ସାଥେ ମାଟିମାଆ ପଥେ ଭାବର ବନ୍ଧନେ ରହି ।



 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational