ଚିନ୍ତାମଣି
ଚିନ୍ତାମଣି
ଚିନ୍ତାମଣି
ଚିନ୍ତା ସବୁ ଦେଇଦିଅ ଚିନ୍ତାମଣିଙ୍କୁ
ଯାହା ସବୁ ଅସାଧ୍ୟ,
ଦୁଶ୍ଚିନ୍ତା କରନା ଆଉ
ସାଧ୍ୟମତେ ସମାଧାନ ଖୋଜି
ବାଟ ଦେଖି ଆଗେଇ ଯିବା ମିତଣୀ
ଲକ୍ଷ୍ୟ ଯାଏଁ ଉଚିତ ସମୟରେ ।
ଏବେ ତ ପୁରୁଷାର୍ଥର ବେଳ
ଥକିବାନି ଚଲାପଥେ
ଜୀବନ ଯାତ୍ରାର କ୍ଲାନ୍ତ ମୁହୂର୍ତ୍ତରେ
ନିଶ୍ବାସ ନିଅ ଟିକେ
ପୁନଃ ଶକ୍ତି ସଂଚାରଣ ପାଇଁ ।
ଦୁହେଁ ମିଶି ପଥପ୍ରାନ୍ତରେ
ବୃକ୍ଷ ନ ହେଲେ ନାହିଁ
ଗୁଳ୍ମ ହୋଇ ଶୋଭା ବଢାଇବା,
ଆମେ ଯାହା
ତା'ର ସର୍ବୋତ୍ତମରେ ପ୍ରକାଶିତ ହୋଇ ।
କିଏ ସେ ଦେଖିଛି କାଲିର ସୂର୍ଯ୍ୟଙ୍କୁ
ଆସ ପ୍ରଣାମ କର
ସୁଖମୟ ହେବ ବୋଲି ଆଜିର ଦିନଟି ।
ପକ୍ଷୀଙ୍କ ନିନାଦ ଶୁଣ
ଫୁଟିଲା ଫୁଲର ସୁବାସରେ ମୁଗ୍ଧ ହୁଅ
ମନ ଭରି ଜିଇଁବାକୁ
ଗୀତଟିଏ ଗାଅ ସୁଗମ ସ୍ୱରରେ
ଜଞାଳର ବୋଝ ତଳେ ଥୋଇଦେଇ ।
ହାତରେ ହାତ ଛଂଦି
ଏକାକାର ହେବା ଶ୍ବାସକୁ ମିଶାଇ
କିଛି କ୍ଷଣ ଶୂନ୍ୟ ହେବା
ନିରାକାର ସେ ଚିନ୍ତାମଣିଙ୍କର
ପାଦ ତଳେ ବୋଝ ଥୋଇଦେଇ,
ସକାଳର ସୂର୍ଯ୍ୟଙ୍କୁ
ପ୍ରଣାମ କରିବା ଧନ୍ୟବାଦ ଦେଇ ॥
କବି-ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା