ଚିଲିକା ତୀରେ
ଚିଲିକା ତୀରେ
ପହଞ୍ଚିଲି ଦିନେ ଚିଲିକା ତୀରରେ
ଦେଖିବାକୁ ତା'ର ଶୋଭା ନୟନେ
କିଛି କ୍ଷଣ ପାଇଁ ହଜିଗଲି ମୁହିଁ
ତା' ବକ୍ଷରୁ ଝରା ସ୍ନିଗ୍ଧ ପବନେ ।
ନୀଳ ଉର୍ମିମାଳା ନାଚି ନାଚି ଆସି
ଛୁଇଁ ଯାଉଥିଲେ ପାଦକୁ ମୋର
ଶିହରଣ ଖେଳି ତନୁରେ ମନରେ
ଖୁସିରେ ହୋଇଲି ଆତ୍ମବିଭୋର ।
ମାଆ କାଳିଜାଇ ମନ୍ଦିରର ଚୁଡା
ନୟନେ ମୋହର ହୋଇଲା ଉଭା
ନୀଲାଭ ଶରୀରେ ମସ୍ତକେ ମୁକୁଟ
ବଢ଼ାଉଛି ଯେହ୍ନେ ଚିଲିକା ଶୋଭା ।
ଦଳଦଳ ପକ୍ଷୀ ତା'ଛାତିରେ ବସି
ଭାସିଭାସି ଖୁସି ସାଉଁଟୁଥିଲେ
ଡେଇଁ ଡେଇଁ ମୀନ ଶୀତଳ ଜଳରେ
କ୍ରୀଡାନୃତ୍ୟଗୀତେ ମଗନ ଥିଲେ ।
କୋଳାହଳମୟ ତୋ'ର ଉପକୂଳ
ଲାଗିଅଛି ସତେ ମେଳା ଯାତରା
ତୋ' ବିନା ଉତ୍କଳ ଗୌରବଗାରିମା
ଇତିହାସେ କିବା ସ୍ମୃତି ଅଧୁରା ।
ଧାଡିଧାଡି ନାବେ ନାଉରିଆ ଭାଇ
ଚାହିଁ ରହିଥିଲେ ପର୍ଯ୍ୟଟକଙ୍କୁ
ନଳବଣ ଅବା କାଳିଜାଇ ପୀଠ
ବୁଲାଇ ନେବେ ସେ ସାତପଡାକୁ ।
କଇବର୍ତ୍ତ ଭାଇ ଜାଲକୁ ବିଛାଇ
ଧରୁଥିଲେ ନାନା ଜାତିର ମତ୍ସ୍ୟ
ପରିବାର ପ୍ରତିପୋଷଣ ନିମିତ୍ତ
ମନେ କରି ଡରଭୟକୁ ତୁଚ୍ଛ ।
ନାନା ପ୍ରକାରରେ ତୋ' ସୌନ୍ଦର୍ଯ୍ୟଶିରୀ
ବର୍ଣ୍ଣୁଥିଲେ ବହୁ ଦେଖଣାହାରୀ
ତା'ରୂପକୁ ଦେଖି ମୋ ମନେ ଭାବନା
ଉଙ୍କିମାରୁଥିଲା କବିଟେ ପରି ।
ଅନିନ୍ଦ୍ୟ ସୁନ୍ଦରୀ ଉତ୍କଳର ଶିରୀ
ସୁଷମାର ସେ ଯେ ଭଣ୍ଡାରଘର
କିପରି ବର୍ଣ୍ଣିବି ତା' ରୂପ ସମ୍ଭାର
ନାହିଁ ଭାଷାଜ୍ଞାନ ସାମର୍ଥ୍ୟ ମୋର ।