ଚିଲିକା ଚିତ୍ର
ଚିଲିକା ଚିତ୍ର
ନିଶଦ୍ଦ ରଜନୀ ବିଜନତା କୋଳେ
କୁଳୁକୁଳୁ ନାଦେ ମାତି
ଭାରତ ମାତାର ଚରଣକୁ ଚୁମ୍ବି
ଚିଲିକା ଦର୍ଶାଏ ପ୍ରୀତି ।
ମନୋରମ ଦୃଶ୍ୟ ବର୍ଣ୍ଣିତ ଗଚ୍ଛିତ
ରାଧାନାଥ ରାୟ କାବ୍ୟେ
ଯୋଗଜନ୍ମା ସେହି ମହାନ କବିଙ୍କ
କାବ୍ୟ ଲାଳିତ୍ୟକୁ ଭାବେ ।
ମୁଢ ମତି ମୁଁ ଯେ କି ଅବା ଜାଣଇ
ମାନସେ ମୋ ସ୍ବଳ୍ପ ଜ୍ଞାନ
ଏଇ ଜ୍ଞାନ ବଳେ ଲେଖନୀ ମୋ ଚଳେ
ସ୍ତୁତିରେ ଚିଲିକା ଗାନ ।
ଧନ୍ୟ ହେ ଚିଲିକା ଚିତ୍ତହାରୀ ଏକା
ଲୋଡା ନାହିଁ ଅନ୍ୟ କୀର୍ତ୍ତି
ସତେ ମହୋଷଧି ବ୍ୟାଧି ପ୍ରଲେପନେ
ତୁମେ ଯେହ୍ନେ ଜଳସ୍ଫୀତି ।
ଗିରି ବନ ଲତା ତଟ ପ୍ରାନ୍ତ ଧରି
କରୁଛନ୍ତି ଲୀଳା ଖେଳା
ତା ସଂଗେ ସାଗର ଏକାଗ୍ରତା ଚିତ୍ତେ
ଆଲିଙ୍ଗନେ ଗଳା ମାଳା ।
ନୃତ୍ୟେ ବିମୋହିତ ଶୁଭ୍ର ଉର୍ମିମାଳା
ନିମିଷେ ଛୁଅଁଇ କୂଳ
ଚିକୁର ଯେସନେ ଫେଣା ଯୁକ୍ତ କରେ
ମୁଖରିତ ଅନର୍ଗଳ ।
ଶୀତ କାଳ ଶୋଭା ଅତି ମନୋରମ
ଦଣ୍ଡେ ଛିଡ଼ା ହୁଏ ଅରି
ବିଦେଶ ମୁଲକ ସୁଖ ତ୍ୟାଗୀ ଖଗ
ଚିଲିକା ଆସଇ ଫେରି ।
ବିହରନ୍ତି କେତେ ଚିଲିକା ବୁକୁରେ
ହର୍ଷେ ହଂସ ହଂସରାଳୀ
ଦୂରୁ ମାଛରଙ୍କା ମୀନର ଭକ୍ଷଣେ
ଚିଲିକା ଜଳକୁ ଛଳୀ ।
କାତ ହାତେ ଚଳେ ନାଉରିଆ ସୁତ
ଦର୍ଶନାର୍ଥୀ ଘେନି ସଙ୍ଗେ
ମନ ମୋହୁ ଥାଏ ସୁଲୁସୁଲୁ ବା
ଖେଳି ତାର ନାନା ଭାଙ୍ଗେ ।
ଚିଲିକା ହ୍ରଦର ଚିତ୍ରପଟ ଦେଖି
କବି ପ୍ରାଣ ବିମୋହିତ
କେତେ ଯୋଗଜନ୍ମା ତା ପ୍ରେମେ ବାତୁଳ
ଲେଖନୀ ଚାଳନେ ଧୃତ ।
ଆତ୍ମହରା ହୋଇ ପ୍ରକୃତି ପ୍ରେମୀଏ
ରଜନୀରେ ନିମଜ୍ଜିତ
ଚିଲିକା ଢାଳୁଛି ତା ସୁଧା ବାରିକୁ
ଜୋଛନାରେ ସତେ ଧୌତ ।
ଦର୍ଶନ ଲଭିଲେ ଶାନ୍ତି ଆସେ ମନେ
ଲିଭି ଯାଏ ସବୁ ଗ୍ଲାନି
ଧନ୍ୟ ହେ ଚିଲିକା ଅପାର ଆନନ୍ଦେ
ଜନ ମନ ନିଅ କିଣି ।
