ଚିହ୍ନା ମଣିଷର ଅଚିହ୍ନା ମୁହଁ
ଚିହ୍ନା ମଣିଷର ଅଚିହ୍ନା ମୁହଁ
କାଳର କରାଳ କୁଟୀଳ ଚକ୍ରରେ
ଘୋଟିଯାଏ ଘନ ଅମା ଅନ୍ଧାର
ଅବକ୍ଷୟ କ୍ରମେ ବନ ସବୁଜିମା
ଅସାର ଲାଗଇ ଏହି ସଂସାର ।
ବଢେ ପାପପଙ୍କ ଅନୀତି ଅନ୍ଯାୟ
ବ୍ଯାଧି ପ୍ରଦୂଷଣେ ଜୀବନ ଗ୍ରସ୍ତ
ବ୍ଯଭୀଚାର ହିଂସା ସ୍ବାର୍ଥ ଦାବାନଳ
ବିଭୀଷିକା ଯୁଦ୍ଧ ତ୍ରାସ ଉତ୍କଟ ।
ଭୋଗ ଆତ୍ମସୁଖେ ପାଗଳ ମଣିଷ
ଭୁଲିଯାଏ କ୍ରମେ ଶାନ୍ତି ସଂପ୍ରୀତି
ସହ ଅବସ୍ଥାନ ମୈତ୍ରୀ ସଦ୍ଭାବନା
ହଜିଯାଏ ମନୁ ଉପୁଜେ ଭୀତି ।
ପରିବେଶ ପରିସ୍ଥାନିକ ସଙ୍କଟ
ଭୟଙ୍କର ପୃଥ୍ବୀ ଧ୍ବଂସାଭିମୁଖୀ
ଭୁଲି ମାନବତା ଉତ୍ତମ ଦିବ୍ଯତା
ବିପଥେ ସମାଜ ଭୋଗେ ଦୁର୍ଗତି ।
ସତ୍ୟଧର୍ମ ନ୍ଯାୟ ନୀତି ସୁସଂସ୍କାର
ପଥ ସମୁଜ୍ଜ୍ୱଳ କର୍ତ୍ତବ୍ଯ ନିଷ୍ଠା
ଦୁର୍ଲଭ ହୁଅଇ ସ୍ବଭାବ ସରଳ
ଭକ୍ତି ସୁବିଶ୍ବାସେ ଭଣ୍ଡାମୀ କୁଣ୍ଠା ।
ହୁଗୁଳି ଯାଉଛି ଆତ୍ମିକ ବନ୍ଧନ
ପରିବାରେ ନାହିଁ ମମତା ସ୍ନେହ
ଗ୍ରାସୁଛି ଗ୍ରହଣ ଚନ୍ଦ୍ର ସୂର୍ଯ୍ଯ ଦେହେ
ଚିହ୍ନା ମଣିଷର ଅଚିହ୍ନା ମୁହଁ ।
