ଛଦ୍ମ ତାମସା
ଛଦ୍ମ ତାମସା
ଅତୀତର ବାଲିହ୍ଵୀପକୁ ଯାତ୍ରା
ହୋଇପାରେ ଆଜିର ବାଲିଯାତ୍ରା
ଓଡ଼ିଆ ସାଧବ ପୁଅ ଆ-କା-ମା-ଭୈ କହି
ଜାତିର ଗୌରବ ଗାଥା ଗାଇ ଗାଇ
କାର୍ତ୍ତିକ ପୂର୍ଣ୍ଣିମାରେ ପାଲଟଣା ନୈକାରେ ଯାଏ
ଆଷାଢ଼ରେ ସୌଦାଗର ଫେରେ
ଧନ ରତ୍ନରେ ବୋଝେଇ ବୋଇତ ଲଦେଇ
ସୁନାର ଓଡିଶା ଗଢିବାର ସ୍ବପ୍ନ ସମ୍ବଳ ନେଇ
ଆଉ ଆଜିର କର୍ମକୁଢିଆ ଓଡିଆ
ସଜ ହେଇ ବାହାରି ପଡନ୍ତି ବଢିଆ
କାର୍ତ୍ତିକ ପୂର୍ଣ୍ଣିମାର ସକାଳୁ ସକାଳୁ ଗାଧୋଇ ପାଧୋଇ
ସୋଲ ଓ କଦଳୀ ବାହୁଙ୍ଗାର ଡଙ୍ଗା ଧରି
ଘରପାଖ ନଈ ଅବା ପୋଖରୀ କୂଳରେ ଭିଡ଼ ଜମେଇ
ବେଶ୍ ଖୁସିରେ ମନେ ପକାନ୍ତି ଡାକ ଛାଡ଼ନ୍ତି
ଅତୀତ ନୌବାଣିଜ୍ୟର ସ୍ଵର୍ଣ୍ଣାଉ ଇତିହାସ
ମରିସାରିଥିବା ଶବ୍ଦମାନଙ୍କର ଜୀବନ୍ୟାସ
ଜାତୀୟ ଗରିବରେଖାରେ ଶେଷଆଡୁ ଦ୍ଵିତୀୟ ସ୍ତମ୍ଭ ମାଡିବସିଥିବାର ଗର୍ବରେ
ଫାଟି ପଡୁଥିବା ଓଡିଆ ଆଜି
ପାଣିରେ ଦୀପ ଜଳାଏ ଭସାଏ
ପାନ ଗୁଆ ଚାଉଳ ନୈବେଦ୍ୟ ବାଢ଼େ
ଧୂପବତୀ ଲଗାଏ ନଈପଠା ମହକାଏ
ବାଣ ଫୁଟାଏ ଗର୍ବରେ
ମୋବାଇଲରେ ଫଟୋ ସେଲ୍ଫି ନେଇ
ନିଜ
ର ମିଛ ଆତ୍ମ ଗୌରବ ଜାହିର କରେ ପର୍ବରେ
ପ୍ରବଳ ଭିଡ଼ରେ ଜଡ ଅତୀତର ପୂର୍ଣ୍ଣଗର୍ଭରୁ
ଟାଣି ଆଣିବାକୁ ଚେଷ୍ଟାକରେ
କାର୍ତ୍ତିକ ମାସର ଶେଷ କାକରିତ ପ୍ରହରରେ
ମାତ୍ର କାହିଁକି କେଜାଣି
ମୃତ ଇତିହାସର କଂସା କବାଟ ପୁଣି ଖୋଲିବ କି ?
ବିସ୍ମୃତିର କାଳ ଗର୍ଭରେ ଲୀନ ଉତ୍କଳୀୟ ଜାତୀୟଚେତନା ପୁଣି ଉଦ୍ଭାସିତ ହେବ କି ?
ନୌବାଣିଜ୍ୟ ମଧ୍ୟରେ କଳା ସଂସ୍କୃତିର ଔପନିବେଶିକତାର ଛଟା ପୁଣିଥରେ ଦସ୍ତକ ଦେବ କି ?
ମାତ୍ର କାହିଁକି କେଜାଣି
ଦାଦନ ପାଇଁ ସମର୍ପିତ ଓଡିଆ
ଟଙ୍କାକିଆ ଚାଉଳ ପାଇଁ ଲାଳାୟିତ ଓଡିଆ
ସୁଭଦ୍ରା ପଇସା ନପାଇବାରେ ତାଣ୍ଡବ କରୁଥିବା ଓଡିଆ
ସବୁ ପ୍ରଶ୍ନରେ ମୋତେ କେତେ ମିଳିବ ପ୍ରଶ୍ନବାଚୀରେ ବଢୁଥିବା ଓଡ଼ିଆ
ଅସ୍ମିତାର ଚାଦର ଘୋଡେଇ ନିଘୋଡ ନିଦରେ
ସ୍ୱାଭିମାନକୁ ଚୂନ ଲଗେଇ ଖିଲିପାନ
କଳରେ
ମାଇକ ଫଟେଇ
କାର୍ତ୍ତିକରେ ମୃଦଙ୍ଗ ବଜେଇ
ଗାଉଛି ହରିନାମ ସଂକିର୍ତ୍ତନ
କାକରରେ ଭିଜି ଭିଜି
ବୋଇତ ବନ୍ଧାଣ କରୁଛି ପ୍ରହସନ
ବୁଝି ହେଉନି ଏ ଛଦ୍ମ ତାମସା
ବୁଝା ପଡୁନି ଏ କର୍ମଣା ବଚସା