STORYMIRROR

Shashanka sekhar Ray

Abstract

2  

Shashanka sekhar Ray

Abstract

ଛାଇଲେଉଟା ବେଳ

ଛାଇଲେଉଟା ବେଳ

1 min
465

ଅନେକ ଦିନ ପରେ ମୁଁ ଦେଖିଲି ନିଜକୁ ନିଜେ

ଖରାରେ ଚିକ୍ ମିକ୍ କରୁଥିବା ମୋ ରେଶମୀ ପୋଷାକେ

କିଏ ଯେମିତି ବୋଳି ଦେଇଛି କଳା

କେଉଁଠି କେତେବେଳେ ମୋ ଅଜଣାତରେ


ଭାରି ଦୁଃଖ ଲାଗିଲା

ଦିନ ସରି ଯେବେ ଛାଇଲେଉଟା ବେଳ ଆସିଲା

ସୁଲକାଏ ଥଣ୍ଡା ପବନ ବହିବାରୁ 

ମୁଁ ଆଖିରେ ନିଦ ଭର୍ତ୍ତି କଲି

କିଛି ସ୍ଵପ୍ନ ଦେଖିବାକୁ


ଆଖିପତା ବନ୍ଦ ସତ୍ତ୍ଵେ ବି

ଆଖି ମୋର ମିଟ ମିଟ କରୁଥିଲା ଭିତରେ

ପାହାନ୍ତିଆ ତାରା ପରି

ଚୁପଚାପ ଖାଲି ଚାହୁଁଥିଲା ସମସ୍ତଙ୍କୁ

ବେକ ଭାଙ୍ଗି ଚାହିଁଲି ସୂର୍ଯ୍ୟାସ୍ତ ଆକାଶକୁ

ମାଗିଲି ତାକୁ କିଛି ଶୂନ୍ୟତା

ସୂର୍ଯ୍ୟ କିନ୍ତୁ ମନେ ମନେ ହସୁଥିଲା

ମୋ ଅସହାୟତାର ସୁଯୋଗ ନେଇ

ଆଗ ପରି ମୁଁ ଆଉ ନ ଥିଲି

ବଦଳିଯାଇଛି ୟା ଭିତରେ ମୁଁ ଅନେକ 

ବନ୍ଧୁ ବାନ୍ଧବ ଆତ୍ମୀୟସ୍ଵଜନ ମୋତେ କହିଲେ

ତୁମର ଆଉ ଚାଲିବାର ନାହିଁ

ଆମ ସହ ଅନେକ ଦୂର

ବରଂ ତୁମେ ଏଠି ରହିଯାଅ


ମୁଁ ଭାରି ମନେ ମନେ ରାଗିଗଲି

ସେମାନେ ସମସ୍ତେ ମୋ କଥାକୁ ଏଡି ଦେଇ

ଚାଲିଗଲେ ଆଗକୁ ଆଗକୁ

ମୁଁ ଖାଲି ଯାହା ପଛେ ରହିଗଲି


ଭାବିଲି ଏମାନଙ୍କର ଗନ୍ତବ୍ୟସ୍ଥଳ କେଉଁଠି 

ସେମାନେ କିନ୍ତୁ ଜୋର ଜବରଦସ୍ତି କହିଲେ

ରହିଯିବାକୁ ଗୋଟିଏ ପାଖ 

ଅନ୍ଧାରିଆ ଅମୁହାଁ ଦେଉଳେ

ମୁଁ କିନ୍ତୁ ମାନିବାକୁ ପ୍ରସ୍ତୁତ ନଥିଲି

ଚାଲିବାର ନିଶା ଥିଲା ପାଦରେ

କିନ୍ତୁ ଏକା ଏକା ଚାଲିବା ଭାରି କଷ୍ଟ ଆଉ ବୋର


ଜଳନ୍ତା ସିଗାରେଟକୁ ଓଠେ ଧରାଇ

ଥୁଣ୍ଟା ବରଗଛମୂଳେ ଟିକେ ଆଉଜି ପଡି

ଚାହିଁଲି ଦାର୍ଶନିକ ସାଜି ନୀଳ ଆକାଶକୁ


ଅନ୍ଧାର ମାଡିଆସୁଥିଲା ମୋ ଆଖିରେ

ବୁଢୀଆଣୀ ଜାଲ ଘେରାଇ

ପାଖ ଗଛରୁ ଚଢେଇଟିର କିଚିରୀ ମିଚିରୀ ଶବ୍ଦ

ଭାସିଆସୁଥିଲା ମୋ କାନେ

ବାଲ୍ମୀକି ପରି ଚରିଯାଉଥିଲେ ମୋ ଦେହେ

ଉଇ ହୁଙ୍କାମାନ ଆପେ ଆପେ।


ସୂର୍ଯ୍ୟାସ୍ତ ଆକାଶ ଆଉଁସି ଦେଉଥିଲା

ମୋ କ୍ଲାନ୍ତ ଝାଳୁଆ ମୁଁହକୁ 

ହସି ହସି ମୋତେ ସେ ହାତ ଠାରି

ଡାକୁଥିଲା ଆ ଚାଲିଆ ମୋ ପାଖକୁ 

ସାଙ୍ଗ ହୋଇ ଚାଲିବା 

ଆମେ ଦୁହେଁ 

ଆଉ କିଛି ବାଟ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract