STORYMIRROR

Lata Behera

Abstract

3  

Lata Behera

Abstract

ଛାଡଖାଇ

ଛାଡଖାଇ

2 mins
23


ଧର୍ମମାସ ବୋଲି ମାସ ସାରା ମୁହିଁ 

ଆମିଷ ଛାଡିଛି ଧନ

ଛାଡଖାଇ ଆଜି ପାଳନ କରିବି

ଶରଧେ ବଳିଛି ମନ ।


ମନ ଜାଣି ଟିକେ ଆଣିବ ଆଇଁଷ

ଆହେ ମୋର ପ୍ରାଣ ଧନ

ଅରୁଚି ଛାଡିବ ପାଟିରୁ ମୋହର

ଆଣିବ ବୀହନ ମୀନ ।


କାର୍ତ୍ତିକ ମାସଟି କଲି ନିରାମିଶ

ଅରୁଚି ପାଟି ଧରିଛି

ସମୁଦ୍ର କଙ୍କଡା ଆଣିବ ଗୋ ସ୍ବାମୀ 

ନେହୁରା ହେଇ କହୁଛି ।


ସୋରିଷ ମସଲା ଆମ୍ବୁଲ ଫେଡାରେ

କରି ଦେବ ମାଛ ଝୋଳ

ମଟନ ବିରିଆନି ଆଣିବ ମୋ ପାଇଁ 

ପାଟିରୁ ଗଡିଲା ଲାଳ ।


ଚିକେନ ପକଡା ଏଗ୍ ରୋଲ ଧନ

ମନେ କରି ଆଣି ଦେବ

ମାସକ ଯାକର ଅରୁଚି ମୋହର

ଯେମିତି ଥରକେ ଯିବ ।


ଚୁନି ମାଛ କିଲେ ଆଣିଣ ଗେରସ୍ତ 

କାନ୍ଧିଆ ପାଣିକୁ ଦେଇ

ସୋରିଷ ବଟାରେ ରାନ୍ଧି ପରଶିବ

ଖାଇବି ଚକା ପକେଇ ।


ଆଣି ଦେବ ବାଛି ବଡ ଚିଙ୍ଗୁଡିକୁ

ରାନ୍ଧି ଦେବ ଗୋ ଗୋସାଇଁ

ତୁମକୁ ଦେଇଛି ମାସ ସାରା ରାନ୍ଧି

ଶୋଇବି ଆଜି ମୁଁ ଖାଇ ।


ପେଟ ଚିରା ଲୁଣି ଇଲିଶି ଶୁଖୁଆ

ମନେ ପକେଇ ଆଣିବ

ମରା ଶୁଖୁଆକୁ ଆଣିବ ଗୋ ଧନ

ମୋତେ ଖୁଆଇଣ ଦେବ ।


ମାସ ସାରା ମୁହିଁ ଆମିଷ ଛାଡିଛି

ହାତ ଆଇଁଷ ଗନ୍ଧିବ 

ବାନ୍ତି ହେଇଯିବ ପ୍ରାଣନାଥ ମୋର

ତୁମେ ଖୁଆଇଣ ଦେବ ।


ତୁମ ପାଇଁ ମାସ ସାରା ବ୍ରତ କରି

କେତେ ରହିଛି ଓପାସ

ତେଲ ଦେଇ ଗୋଡ ମର୍ଦ୍ଦିନ କରିବ

ଦୂର ହେବ ଦେହ କ୍ଳେଶ ।


କହିବନି ଆଉ ପଇସା ମୋ ନାହିଁ 

ଖାଇବ ଛାଞ୍ଚୁଣୀ ମାଡ

ଆଗକୁ ଆସୁଛି ମାଘମାସ ଆଉ

ହେବନି ତୁମକୁ ଜାଡ ।


ଖାଇଛ ମୋ ଠାରୁ କହୁଣୀ ଗୋଇଠା

ମନେ ଥିବ ପ୍ରାଣଧନ

ମନ ଜାଣି ଆଜି କରିବ ରନ୍ଧନ

କରିବି ମୁହିଁ ଭୋଜନ ।


ଏମିତି ଆମିଷ ଖୁଆଇବ ନାଥ

ମୋ ନାମ ସାର୍ଥକ ହେବ

ଏମିତି ଘଇତା କାହାର ବା ଅଛି

ଗର୍ବରେ ମନ କହିବ ।


ଯାଅ ଯାଅ ସ୍ବାମୀ ବଜାରରୁ କିଛି

ଆଣି ଆଗ ଖୋଇଦେବ

ଏମିତି ଘରଣୀ କାହାର ଅଛି ବା

ବଜାର ପଠେଉ ଥିବ ।


ବେଙ୍ଗୁଲୀର କଥା ଶୁଣି ଗଲା ବେଙ୍ଗ

ହାତରେ ଧରି ଫେରିଲା

କେତେ ଶରଧାରେ ଗେହ୍ଲେଇ ହେଇ ସେ

ବେଙ୍ଗୁଲୀକୁ ଡାକ ଦେଲା ।


ଏଇତକ ଆଗ ଖାଇ ଦିଅ ଆଗୋ

ତୁମେ ମୋର ପ୍ରାଣ ସହି

ବରାଦ କରିଛି ବାକିତକ ସବୁ

ଆଣିବି ତୋ ପାଇଁ ବୋହି ।


ଟିକେ ଦିଅ ହସି ଆଗୋ ମଦାଳସି

ଆଣିଛି ହାତରେ କଷି

ତୁମେ ମୋ ଘରଣୀ ମୋ ହୃଦୟ ରାଣୀ

ଖାଇ ଦିଅ କୋଳେ ବସି ।


ବେଙ୍ଗର କୋଳରେ ବେଙ୍ଗୁଲୀ ବସିଲା

ବେଙ୍ଗ ତାକୁ ଖୋଇ ଦେଲା

ଏ ସମୟରେ କବାଟ ଠକ୍ ଠକ୍

ବାହାରୁ ଡାକ ଶୁଭିଲା ।


ଧଡପଡ ହେଇ ବେଙ୍ଗୁଲୀ ଉଠିଲା

କବାଟକୁ ଖୋଲି ଦେଲା

ହାତରୁ ତାହାର ଛଡେଇ ଆଣି ସେ

ପ୍ୟାକେଟ୍ ଖୋଲି ଦେଖିଲା ।


ବେଙ୍ଗ ଶୁଖୁଆକୁ ଦେଖିଣ ବେଙ୍ଗୁଲୀ

ରାଗ ମଥାକୁ ଚଢିଲା

ବିଚରା ଲୋକଟି କହି ଦେଲା ତାକୁ

ବେଙ୍ଗ ଏବେ ଆଣି ଥିଲା ।


ବେଙ୍ଗ ଝୋଳ ଖାଇ ବେଙ୍ଗୁଲୀ ତାହାର

ରାଗି ଜର୍ଜରିତ ହେଲା

ଛାଞ୍ଚୁଣୀ ଓ ଠେଙ୍ଗା ବିଧା ଗୋଇଠାରେ

ଛାଲ ତା ଉତାରି ଦେଲା ।


ମଲି ମଲି ବୋଲି ବେଙ୍ଗଟି କହିଣ

ବେଙ୍ଗୁଲୀ ଗୋଡ ଧରିଲା

ଗୋଡ ଛାଟି ଦେଲା ତାର ଘରମଣି

ନାଳରେ ଯାଇ ପଡିଲା ।


ନାଳ ମଇଳାରେ ଉବୁଡୁବୁ ହୋଇ

ବେଙ୍ଗ କହେ ମୋ ସୁନ୍ଦରୀ 

ବେଙ୍ଗ ଝୋଳ ମୋତେ ଖୋଇଥିଲ ତୁମେ

ମୁଁ କି ଅବା ଥିଲି ମାରି ।


ମୋ ମନ ମୟୂରୀ ସପନ ସୁନ୍ଦରୀ 

ତୁମେ ମୋ ସରଗପରୀ

ହାତ ଧରି ନିଅ ଆମିଷ ଖୋଇବି

ସତ ମୋ କନକ ଗୋରୀ ।



Rate this content
Log in

Similar oriya poem from Abstract