ଚେଇଁଲୁଣି ଆମେ
ଚେଇଁଲୁଣି ଆମେ
ତୁମ ଛଳନାର ରୁଦ୍ଧ କୋଠରି
ହଳାହଳେ ପରିପୂର୍ଣ୍ଣ
କେମିତି ବା ଆମେ ଦେଖି ପାରିଥାନ୍ତୁ
ତୁମ ସେ ଜଟିଳ ମନ I
ଆମେ ଛଳନା ବୁଝୁନା',
ଆମେ କପଟ ବୁଝୁନା,
ଖଟିଖିଆ ମେହେନତି ମଣିଷରେ ଆମେ
ତୁମପରି କପଟିଆ ନୋହୁଁ ବୋଲି
ଆଜି ତୁମେ ସାହୁକାର
ଆମେ ତୁମ ଚାଟୁକାର
ପେଟର ଭୋକ ଛଡା
ଆମ ପାଇଁ ଆଉ କିଛି ବଡ ନୁହେଁ
ଭୋକଛଡା କିଛିହେଲେ
ଆମ ଆଖିକୁ ଦିଶେନା I
ସେଥି ପାଇଁ ତ ତୁମେ
ନିତି ନିତି ଲୁଟୁଛ ଆମକୁ
ହାଣ୍ଡିଆ ମୁନ୍ଦାଏ ପେଇ
ସକାଳରୁ ସଞ୍ଜଯାଏ ଖଟାଇ ଚାଲିଛ
ଟିକିଏ ହାଲିଆ ହେଲେ
ଚାବୁକର ଭୟ ଦେଖାଉଛ I
କୁହ ଆଉ କେତେଦିନ
ଭୋଗିବୁ ଏ ଦଶା
କେତେଦିନ ସହୁଥିବୁ
ତୁମ ଅତ୍ୟାଚାର ?
କଷ୍ଟ ବଳି ପଡଲାଣି,
ଚାହିଁଦେଖ ଏବେ ଆମ
ରାଗ ଜରଜର ଆଖି
କେଉଁପରି ଜଳି ଉଠିଲାଣି I