ଚାଲ ଯିବା ସଖୀ
ଚାଲ ଯିବା ସଖୀ
ନ କର ଉଛୁର ପ୍ରାଣ ମିତଣୀ ଗୋ
ବେଗେ ହୁଅ ସଜବାଜ
କଥା ଦେଇଛନ୍ତି ହଟିଆ ନାଗର
କୁଞ୍ଜେ ବିଜେ ହେବେ ଆଜ ।
ବୋଳି ହୁଅ ମୁହେଁ ଫଗୁଣର ରଙ୍ଗ
ଅନୁରାଗ ଭରି ମନେ
ଯିବା ଚାଲ ସଖୀ କୁଞ୍ଜ ସଦନକୁ
ଉଚ୍ଚାଟଇ ବଂଶୀ ସ୍ବନେ ।
ସୁରଞ୍ଜିତ କର ଲୋଚନେ କଜ୍ଜ୍ୱଳ
ଚରଣେ ରୁଞ୍ଜୁ ନୂପୁର
କର୍ପୂର ଚନ୍ଦନ କୁଙ୍କୁମ ପ୍ରଲେପେ
ଝଟକୁ ମୁଖ ମଣ୍ଡଳ ।
ପଡିଯାଉ ଫିକା ଜହ୍ନର ଜୋଛନା
ଅରୁଣ ଉଜ୍ଜ୍ବଳ ରଙ୍ଗ
ଅଧର ପୁଟରେ ଚହଟୁ ଲାଲିମା
ଅଳତାରେ ମଧୁ ଛନ୍ଦ ।
ଯୂଇ ଯାଈ ମଲ୍ଲୀ ପୁଷ୍ପ ବିଭୂଷଣେ
ଗଭା ସୁମଣ୍ଡିତ କରି
ବିତାଇବା ଆଜ ରଜନୀ ସଜନୀ
ରସରାସେ ଗୁଣ ସ୍ମରି ।
ଛନ୍ଦା ଶ୍ରୀଚରଣେ କରି ସମର୍ପଣ
ହୋଇଯିବା ଏକାକାର
ଜୀବର ଜୀବନ କୃଷ୍ଣ ପ୍ରାଣଧନ
ହରି ଏକା ପ୍ରାଣେଶ୍ବର ।