ଚାକିରୀ - ଏକ ଅଭିବ୍ୟକ୍ତି
ଚାକିରୀ - ଏକ ଅଭିବ୍ୟକ୍ତି
ଗାଁ ଚାଟଶାଳୀରୁ କଲେଜରେ ପାଦ ଦେବା
ସବୁ କିଛି ସିଦ୍ଧାନ୍ତର ଫର୍ଦ୍ଦରେ
ଅନ୍ୟମାନଙ୍କ ହସ୍ତାକ୍ଷରକୁ
ସ୍ଵୀକାର କରି
ମୁଁ ସାଧାରଣ ଝିଅ ଟିଏ
ଚାକିରୀ କରିଥିଲି
ଯାହା ମୋ ଜୀବନରେ
ଆର୍ଥିକ ଅନାଟନକୁ
ଆତ୍ମସାତ କରିବାରେ
ପାଥେୟ ହୋଇଥିଲା ।
ବାପାଙ୍କର ରୋଗୀଣା ଚେହେରା
ଭାଇ ଭଉଣୀ ମାନଙ୍କର ଭବିଷ୍ୟତର
ଅନେକ ଅକୁହା ବ୍ୟଥା ମାନେ
ମୋ ଶିରା ପ୍ରଶିରା
ଘର କରୁଥିଲେ -
ଆଉ ମୋ ମନ ବିବେକର ସାଲିସ୍ ରେ
ଜୀବନର ପ୍ରଥମ ସିଦ୍ଧାନ୍ତକୁ
ଉପସ୍ଥାପନା କଲି -
ବିବାହ ନ କରିବାର ସିଦ୍ଧାନ୍ତ ।
ମୋ ସିଦ୍ଧାନ୍ତ ଭୂଲ୍ ଥିଲା କି ଠିକ୍ ଥିଲା
ଜାଣିନି -
ଏତିକି ଜାଣିଥିଲି ସେ ସମୟ ପାଇଁ
ଆବଶ୍ୟକ ଥିଲା ।
ମୋ ସିଦ୍ଧାନ୍ତ
ଘରେ ବାହାରେ ଅସ୍ୱୀକାର୍ଯ୍ୟ ଥିଲା
ହେଲେ,
ମୋ ସିଦ୍ଧାନ୍ତରେ ମୋ ବାପାଙ୍କ
ରୋଗୀଣା ମୁହଁଟା ତୋଫା ଦିଶିଲା
ମୋ ଭାଇ ଭଉଣୀ ମାନେ
ସ୍ଵୟଂ ସମ୍ପୂର୍ଣ୍ଣ ହୋଇ ପାରିଲେ ।
ମୋର ନିଜସ୍ଵ ସିଦ୍ଧାନ୍ତ
ମୋତେ ପୁଳା ପୁଳା ଆତ୍ମସନ୍ତୋଷରେ
ପୋତି ଦେଉ ଦେଉ
ଚିରନ୍ତନ ଆନନ୍ଦର ଛିଟା ସବୁ
ମୋ ଆତ୍ମାକୁ ଶାନ୍ତି ମୋହିତ
କରୁଥିଲେ ।
ମୋ ସିଦ୍ଧାନ୍ତ ପଛର ଦାୟୀତ୍ଵ କର୍ତ୍ତବ୍ୟର ଶବ୍ଦ ମାନେ
p>
ଯେତେବେଳ ଉପକ୍ରମରୁ
ଉପ ସଂହାରରେ ପହଞ୍ଚିଥିଲେ
ସେତେବେଳେ
ସବୁ ଆଡୁ ଚାପର ବଳୟରେ
ଅଣନିଃଶ୍ଵାସୀ ହୋଇ
ବୈବାହିକ ଜୀବନର ସ୍ଵୀକୃତିକୁ
ମାନି ନେଇଥିଲି--
ବାପାଙ୍କୁ ଲୋକଙ୍କ ସମାଲୋଚନାରୁ
ମୁକ୍ତ କରିବାର ପ୍ରୟାସ କରି
ବିବାହ କଲି ଏକ
ଆର୍ଥିକ ସମ୍ପନ୍ନ ପରିବାରରେ
ଯେଉଁଠି ମୋ ଚାକିରୀ ଅର୍ଥର
ଆବଶ୍ୟକତା ନଥିଲା
ତେଣୁ,
ଆଦର୍ଶ ବୋହୂ ଆଉ ଦାୟୀତ୍ଵ ଶୀଳା
ମାଆଟିଏ ହୋଇ
ଆତ୍ମସନ୍ତୋଷ ସାଉଁଟିବାର
ସପନ ଦେଖିଲି -
ପ୍ରେମର ଫୁଲତୋଡାରେ
ସମସ୍ତ ଅଚିହ୍ନା ସମ୍ପର୍କକୁ
ସ୍ଵାଗତ କରି
ନିଜର ସମସ୍ତ ଫଳନ୍ତି ସମୟକୁ
ଅଜାଡି ଦେବାର ପ୍ରୟାସ ଭିତରେ
ଚାକିରୀ ଛାଡ଼ିବାର ସିଦ୍ଧାନ୍ତ
ମୋତେ
ଅସମାହିତ ସମୀକରଣ କରି
ଉପସ୍ଥାପିତ କରି ଦେଲା ।
କେଉଁଠି ଭୂଲ୍ ରହିଲା- -
ପରିବାରରେ ନିଜକୁ ସମର୍ପି ଦେବା
ଅବା,
ସନ୍ତାନକୁ ଶିକ୍ଷା ସହ
ସଂସ୍କାର ଦେବାର ପ୍ରୟାସ ??
ମୋର ଅନୁଭୂତିକୁ ଜୀବନେ
ଲଗାଇବାର ସୁନ୍ଦର ପ୍ରୟାସ
ଅନେକ ଟୀକା ଟିପଣୀରେ
ପୋତି ହେଉଥିଲେ -
ମୋତେ ମୁର୍ଖ ର ଆଖ୍ୟାରେ
ଆଖ୍ୟାୟିତ କଲା ଏ ସମାଜ
ଆଉ,
ମୁଁ ଅପେକ୍ଷା କରିଥିଲି
ମୋ ଜୀବନ ସମୀକରଣରେ
ସମାଧାନର ଦିନଟିକୁ ।।