ବଉଳ ଲୋ ...
ବଉଳ ଲୋ ...
ଉଙ୍କିମାରେ ଜହ୍ନ ଉଷସୀ ଘୋଟନ୍ତେ
ଉଜ୍ଜ୍ବଳ କିରଣ ଫେଇ,
ଉଷୀର ବାସିଲା ଉତଲା ମନରେ
ଉଜାଡ଼ି ଉଦାସୀ ଖୋଇ
ବଉଳ ଲୋ,ଦେଖ ଉଭା କାଶତଣ୍ଡୀ
ମନେ ପଡ଼ିଯାଏ ପୁରୁଣା କଥା ଲୋ
ହଲିଯାଏ ନାକଦଣ୍ଡୀ
ଚହଟିଲା ସନ୍ଧ୍ୟା ଚହଳ ପକାଇ
ଚହଚହ ରଙ୍ଗ ନେଇ,
ଚମ୍ପାଗୋରୀ ଚାଲେ ଚଳଚିତ୍ତ ହୋଇ
ଚକ୍ଷୁରେ କଜଳ ନାଇ
ବଉଳ ଲୋ ,ଯାଏ ମେଢ଼ ଦେଖି ନାନୀ
ଶିଶିର ଚୁମ୍ବନେ ହିଲ୍ଲୋଳ ତା'ଦେହେ
ଅମାନିଆ ଫେରକାନି
ନବ ନାଗବଲ୍ଲୀ ସମ ତ।'ହୃଦୟ
ଭରି ପିରତିର ରସ,
ନଉଲି ବୟସୀ ନବଜ ପ୍ରୟାସୀ
ବିମ୍ବାଧରେ ସ୍ମିତହାସ
ବଉଳ ଲୋ ,ଅଶିଣ ମାସର ବେଶ
ନବ ଯଉବନେ ସପନ ଉଜାଣି
ଦେଇଛି ପ୍ରେମରେ ଝାସ
ଝମଝମ ଶବ୍ଦେ ଝଲକିତ ମୁଖ
ଝଟକେ ଯୌବନଭାର
ଝରାକାଠି ସଙ୍ଗେ ଝଲକା ନାଚଇ
ଝଲ୍ଲରୀ ତାଳେ କମର ;
ବଉଳ ଲୋ ,ବାଜୁଅଛି ନହବତ
ସଙ୍ଗୀତ ଆସରେ ମିଳନୀ ଉସତେ
ନୃତ୍ୟରତା ଯଉବତ
