ବୁଝିବୁରେ ଜଗା ମୋ ମନକଥା
ବୁଝିବୁରେ ଜଗା ମୋ ମନକଥା
ବରଷକେ ଥରେ ଆଡପ ମଣ୍ଡପେ
ହୋଇଛନ୍ତି ବିଜେ କାଳିଆ ସୁନା ,
ପହୁଣ୍ଡ ପକାଇ ହଲି ଝୁଲି ଚାଲି
ଆସେ କଳାହାତୀ ମିତଣୀ ଅନା ।
ଜନମ ବେଦୀରେ କାଳିଆ ଦର୍ଶନ
ଆଡପ ଅବଢା କଲେ ସେବନ ,
ସାର୍ଥକ ହୁଅଇ ମଣିଷ ଜନମ
ଅରଜଇ ଭକ୍ତ ଅଶେଷ ପୁଣ୍ଯ ।
ଭବ ଏ ସଂସାରେ ଜୀବନ ପତିତ
ମିଛ ମାୟା ମୋହେ ଗ୍ରସିତ ମନ ,
ଯିବ ଖାଲି ହାତେ ଦିନେ ସେ ବାହୁଡି
ଜାଣି ଶୁଣି ପୁଣି ସଞ୍ଚଇ ଧନ ।
ଭରସା କେବଳ ତୋର ପାଦପଦ୍ମ
ସଙ୍କୀର୍ତ୍ତନ ତୋର ନାମ ଭଜନ ,
କରେ ଆଲୋକିତ ଜୀବନ ପଥକୁ
ବିବେକ ବୁଦ୍ଧିକୁ କରେ ସଂଜ୍ଞାନ ।
କରିଛି ସଙ୍ଖାଳୀ ନାମକୁ ତୋ ଏକା
ଶରଧାର ବାଲି ବୋଳି ମୋ ମଥା ,
ହେ ଚକାନୟନ ଭକତର ପ୍ରାଣ
ବୁଝିବୁରେ ଜଗା ମୋ ମନକଥା । ।
