ବୁଢ଼ା ବରଗଛ ମୁଁ
ବୁଢ଼ା ବରଗଛ ମୁଁ
ଅବଶ୍ୟ ଅନେକ ଝଡ଼ ଝଞ୍ଜା ପରା
ଜୀବନେ ସହିଛି ମୁହିଁ
ତଥାପି ସମୟ ନିର୍ଦ୍ଦେଶରେ ଧୈର୍ଯ୍ୟ
ରଖି ଭାଙ୍ଗି ପଡ଼ିନାହିଁ।
ସାହସର ସେତୁବନ୍ଧ ଗଢିଅଛି
ସଂସ୍କାର ଶିଖେଇଅଛି
ଅନେକ ଓହଳ ମୋ ଦେହୁଁ ଲମ୍ବିଛି
ପୁତ୍ର ସ୍ନେହେ ବାନ୍ଧି ଅଛି।
ଆସିଛି ଯେତେକ ବଡ଼ବଡ଼ ବାତ୍ୟା
ଏହି ମୋର ବୃଦ୍ଧ କାଳେ
ଏହି ଓହଳଙ୍କ ସାହାରା ପାଇଛି
ମୁହିଁ ପରା ସେତେବେଳେ।
ଭାଙ୍ଗି ପଡ଼ିବାକୁ ଦେଇ ତ ନାହାନ୍ତି
ଯୋଗ୍ୟ ସନ୍ତାନଙ୍କ ଭଳି
ଜନମ ଦେଇଛି ମୋ ଫଳ ପାଉଛି
ଏମାନେ ମୋ ଆଶ୍ରାବାଡି।
ଆଜି ଦୁନିଆଁରେ ଦେଖାଯାଏ ନାହିଁ
ପିଲାଙ୍କଠିଁ ପିତୃଭକ୍ତି
ଯେଉଁ ଆତ୍ମୀୟତା ମୋ ପିଲାଙ୍କଠାରୁ
ଆଜି ମୁହିଁ ପାଉଅଛି।
କାହିଁ କେତେ କାଳୁ ଏହି ଗାଆଁ ମୁଣ୍ଡେ
ମୁହିଁ ଠିଆ ହୋଇଅଛି
ମୋ ଶୀତଳ ଛାଇ ପାଆନ୍ତି ବାଟୋଇ
ତେଣୁ ମୁଁ ଗର୍ବିତ ଅତି।
ବାହୁ ମେଲି ଦେଇ ଛାତି ଖୋଲିଦେଇ
ସ୍ନେହେ କୋଳ କରିବାକୁ
ଚାହିଁ ରହିଥାଏ ନିରାଶ୍ରା ପ୍ରାଣୀଙ୍କୁ
ହୃଦେ ମୋର ବାନ୍ଧିବାକୁ।
ନିରୀହ ପକ୍ଷୀଟି ଭରଷାରେ ଯଦି
ମୋ ଡାଳେ ବସା ବାନ୍ଧିଛି
ଭଲପାଇବାରେ ମୋଠାରୁ ସିଏ
ପିତୃତ୍ଵ ଦାବୀ କରିଛି।
ଗୁଣ୍ଡୁଚି ମୂଷାଟି ଲାଞ୍ଜ ବାଡେଇକି
ଖୁସିରେ ମୋ ଡାଳେ ଥାଇ
କହିପାରିବକି କାହା ଭରସାରେ
ଗୀତ ସିଏ ଗାଉ ଥାଇ।
ବଣୁଆ ପାରାଙ୍କ ସଭା ବସେ ସତେ
ମୁଁ ତାଙ୍କର ସଭାଗୃହ
ବେଳେବେଳେ ଦଳେ ମାଙ୍କଡ ଆସନ୍ତି
କରନ୍ତି ମୋତେ ଅଥୟ।
ପାଣି ଓଧ ତାର ପରିବାର ନେଇ
ମୋ କୋରଡେ ରହୁଥାଏ
ଅନ୍ଯ କୋରଡଟି ପେଚାମାନଙ୍କର
ଗୁପ୍ତ କୋଠି ହୋଇଥାଏ।
ଅନେକ ଦିନରୁ ବାଦୁଡିମାନେ ଯେ
ମୋ ଡାଳ ଓହଳିଛନ୍ତି
ସେଇଥିପାଇଁକି ବାଦୁଡିଆ ଗଛ
ଲୋକେ ମୋତେ କହିଥାନ୍ତି।
ଘଞ୍ଚ ପତର ମୋ ପାଞ୍ଚଶହ ଓହଳ
ଯେଣୁ ମୋ ବିରାଟ କାୟା
ବିଷଧର ସର୍ପ ସହିତରେ ବହୁ
ଜୀବଙ୍କର ମୁହିଁ ସାହା।
ଶହଶହ ଜୀବ ମୋ କୋଳରେ ଯଦି
ବର୍ଷ ବର୍ଷ ରହୁଛନ୍ତି
କାହାକୁ କେବେକି ଟଙ୍କାଟିଏ ମୁହିଁ
ଘରଭଡ଼ା ମାଗିଅଛି?
ଯେଣୁ ଶ୍ରେଷ୍ଠ ଜୀବ ମଣିଷମାନଙ୍କୁ
ସବୁ ଜୀବ ଡରିଲେଣି
ତେଣୁ ଡରିମରି ମୋହରି କୋଳରେ
ଆସି ବସା ବାନ୍ଧିଲେଣି।
ଶରଣାଗତକୁ ଶରଣ ରଖିବା
ଅଟେ ତ ମହତ କାମ
ଏହି ଦୁନିଆଁକୁ ଶିକ୍ଷା ଦେଇଛନ୍ତି
ଦୟାରୁ ଠାକୁର ରାମ।
ପୁତ୍ରର କର୍ତ୍ତବ୍ୟ ପିତାଙ୍କର ସ୍ନେହ
ପ୍ରଭୁଙ୍କ ଠାରୁ ଶିଖିଛି
ତେଣୁ ମୋର ଧର୍ମ ପାଳନ କରୁଛି
ସ୍ଵାର୍ଥ ଆହୁତି ଦେଇଛି।
ମୁଁ ଯେଣୁ ଦେଇଛି ଆଶ୍ରା ନିରାଶ୍ରାକୁ
ସେ ଫଳ ଆଜି ପାଉଛି
ପିତା ପୁତ୍ର ଭାବ "ବୁଢ଼ା ବରଗଛ"
ଛଳେ ଅପର୍ତ୍ତି କହୁଛି।