ବସୁମତୀ
ବସୁମତୀ
ସର୍ବସ୍ବଂହା ଅଟେ ଏଇ ବସୁମତୀ
ଧୈର୍ଯ୍ୟ ଅପାର ତାହାର
ପାପ ଭାର ଯେବେ ବଢି ଚାଲି ଥାଏ
ଝରି ଯାଏ ଲୁହ ଧାର ।
ସବୁ ଦୁଃଖ କଷ୍ଟ ଯନ୍ତ୍ରଣାକୁ ସହି
ଆମକୁ ଆଶ୍ରୟ ଦିଏ
ତାହା ପରି ଆଉ ଏଇ ଜଗତରେ
ହୋଇବା ପାରିବ କିଏ ।
ରାବଣର ଅତ୍ୟାଚାର ବଢିବାରୁ
ଦୁଃଖେ ଧେନୁ ରୂପ ହେଇ
ପିତାମହ ବ୍ରହ୍ମା ପାଦରେ ଗୁହାରି
କଲେ ବସୁମତୀ ଯାଇ ।
ବେଦବର ସାଥେ ସବୁ ଦେବଗଣ
ଗଲେ କ୍ଷୀର ସାଗରକୁ
ଅନନ୍ତ ଶୟନେ ନାରାୟଣ ଥିଲେ
ସ୍ତୁତି କରିଲେ ତାହାଙ୍କୁ ।
ସ୍ତୁତିରେ ସନ୍ତୁଷ୍ଟ ହୋଇ ହରି ଦେଖି
ଦେଲେ ଛନ୍ତି ବସୁମତୀ
ପାପ ଭରା ନିଶ୍ଚେ ଉଶ୍ୱାସ କରିବି
ଦେଲେ ସିଏ ପ୍ରତିଶ୍ରୁତି ।
ରାବଣଙ୍କୁ ମାରି ଧରା ଉଶ୍ୱାସିଲେ
ବସୁମତୀ ଶାନ୍ତ ହେଲେ
ଅଶ୍ୱମେଧ ଯଜ୍ଞ ସ୍ଥଳରେ ସୀତାଙ୍କୁ
ମାତା କୋଳେ ସ୍ଥାନ ଦେଲେ ।
ବସୁମତୀ କୋଳୁ ଜନ୍ମ ହେଇଥିଲେ
ଆଶ୍ରୟ ଶେଷରେ ନେଲ
ଧର୍ମର ଦେବତାକୁ ସାକ୍ଷୀ ରହିଥିଲେ
ତଳେ ବସୁମତୀ ଥିଲେ ।
ଦ୍ୱାପର ଯୁଗରେ କର୍ଣ୍ଣଙ୍କର ପାଦ
ଭରା ସହି ବସୁମତୀ
ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ନେଉ ଥିଲେ ମୃତ୍ୟୁ
ବେଳରେ କାନ୍ଦିଲେ ଅତି ।
ପୁତ୍ର ମମତାରେ ବସୁମତୀ ମାତା
ବାନ୍ଧି ହେଇ ଯାଇଥିଲେ
କର୍ଣ୍ଣ ମୃତ୍ୟୁ ବେଳେମାତା ବସୁମତୀ
ବିକଳ ହୋଇ କାନ୍ଦିଲେ ।
ଏଇ ବସୁମତୀ କୋଳେ ନାରାୟଣ
ଅବତାର ଯେ ନିଅନ୍ତି
ଧର୍ମର ସ୍ଥାପନ ପାପ ବିନାଶନ
କରି ଜଗତ ପାଳନ୍ତି ।
ଏଇ ବସୁମତୀ ଯୋଗାଏ ଆହାର
ପିଇବାକୁ ଦିଏ ଜଳ
ତା ବକ୍ଷର ଶସ୍ଯ ଫୁଲ ଫଳ ଖାଇ
ମଣିଷ ଦେଖାଏ ବଳ ।
ଖାଦ୍ୟ ବସ୍ତ୍ର ବାସଗୃହ ଯୋଗାଉଛି
ଦେଇଛି ବକ୍ଷେ ଆଶ୍ରୟ
ତଥାପି ମଣିଷ ଏତେ ସ୍ୱାର୍ଥପର
କରୁଛି ତାହାର କ୍ଷୟ ।
ଅଳି ଅର୍ଦ୍ଦଳି ଅତ୍ୟାଚାର ସବୁ ସହେ
କରେନି ସେ ପ୍ରତିବାଦ
ମଇଳା ଆବର୍ଜନା କରୁଥାଏ କେତେ
ଚାଲେ ରଖି ପୁଣି ପାଦ ।
ସବୁ ଅତ୍ୟାଚାର ସହି ସେ ଯାଉଛି
କାହିଁକି ନା ସିଏ ମାଆ
ଏ ମଣିଷ ତାର ସନ୍ତାନ ହେଇଣ
ଜଳାଉଛି ତାର ହିଆ ।
ଏଇ ରଜ ଶେଷ ଦିନ ହେଇଥାଏ
ବସୁମତୀଙ୍କର ସ୍ନାନ
ଭୂଇଁ ଡହଣରେ ବସୁମତୀ ବକ୍ଷେ
ଚପଲ ଥାଏ ବର୍ଜନ ।
ତଥାପି ମଣିଷ ଏତେ ସ୍ୱାର୍ଥପର
ମାନେନି ସେ ନିୟମକୁ
କହନ୍ତି ଚପଲ ନ ପିନ୍ଧି କଅଣ
ଆମନ୍ତ୍ରିବୁ ଯେ ରୋଗକୁ ।
ତାହାରି ବୁକୁର ସବୁଜ ଶ୍ୟମଳ
ବୃକ୍ଷକୁ ପକାଏ ହାଣି
ସୌନ୍ଦର୍ଯ୍ଯତାକୁ ତା ନଷ୍ଟ କରି ଦିଏ
ଏ ମଣିଷ ବେଇମାନୀ ।
ଆଖି ଲୁହ ମାତା ବସୁମତୀ ପୋଛି
ତଥାପି କୋଳେଇ ନିଏ
ତା' ପରି ମାଆ ଆଉ କିଏ ହେବ
ମୁଁ ତାକୁ ଭଲ ପାଏ ।
ତାହାରି କୋଳରେ ଜନମ ନେଇଛି
ତା କୋଳେ ଯିବି ମୁଁ ଶୋଇ
ତାହାରି ପାଦରେ କରୁଛି ପ୍ରଣାମ
ଏଇ ମଥା ମୋର ନଇଁ ।
