ବସନ୍ତ ଯାଅନା ହଜି
ବସନ୍ତ ଯାଅନା ହଜି
ଛଅ ଋତୁ ମଧ୍ୟେ ବସନ୍ତ ହେ ଶ୍ରେଷ୍ଠ
ଋତୁ ସମ୍ରାଟ ବୋଲାଅ
ପୃଥିବୀରେ ପାଦ ଦେଉ ନ ଦେଉଣୁ
କୁଆଡ଼େ ଚାଲି ଯାଉଛ ।
ବିଶ୍ୱ ତାପନ ରେ ପୃଥିବୀ ତାପିତ
ଋତୁ ତା ଦିଶା ହରାଏ
ମଳୟେ ପ୍ରଳୟ ବରଷୁଛି ଦେଖ
ଋତୁ ରାଜ ରୁଷି ଯାଏ ।
ଦୁଇ ଦିନ ଦେଇ ମଧୁର ପରଶ
କେଉଁଆଡେ ଯାଅ ହଜି
ଯିବାବେଳ ତୁମ ହୋଇନି ବସନ୍ତ
କାହିଁକି ଯାଉଛ ହଜି ।
ଗାଁ ମହ ମହ ବାସୁଅଛି ଦେଖ
ବକୁଳ ଫୁଲ ମହକେ
ଆମ୍ରକୁଞ୍ଜେ ପିକ ମେଳି ଦେଖା ନାହିଁ
କଁ। ଭଁ। ଗୋଟେ ଦିଶେ ।
ହଳଦୀ ବସନ୍ତ ମାତୃତ୍ତ୍ଵ ଆମୋଦେ
ଵସା ତାର ସକାଡିଛି
ବସନ୍ତ ଗୋ ତୁମେ ଯାଅ ନାହିଁ ହଜି
ପୃଥିବୀ ଯେ ଚାହିଁ ଅଛି ।
ଏ ଧରା ପୃଷ୍ଠରେ ଷଡ଼ ଋତୁ ଆସେ
ଭିନ୍ନ ଭିନ୍ନ ବାର୍ତ୍ତା ନେଇ
ତୁମେ ଆସ ପୁଣି ସ୍ଵତନ୍ତ୍ର ବିଭାରେ
ଧରାକୁ ମଣ୍ଡନ କରି ।
ମଣିଷ କାଟଇ ନିଜ ହାତେ ଜିହ୍ଵା
କିଏ ବା ତାକୁ କହିବ
ସବୁ ଜାଣି ଶୁଣି ଧ୍ଵଂସ ରଚାଉଛି
ଦେଖୁ ଅଛୁ ତୁ ବସନ୍ତ ।
ବାରମାସ ମଧ୍ୟେ ଦୁଇ ମାସ ତୁମ
ହେ ଋତୁରାଜ ବସନ୍ତ
ଦୁଇ ସପ୍ତାହ ବି ରହୁ ନାହଁ ତୁମେ
ଏ କି ବିଡ଼ମ୍ବନା ଦେଖ ।
ପ୍ରକୃତି ଉପରେ ମଣିଷ ଜାତିର
ଅସରନ୍ତି ଅତ୍ୟାଚାର
ତାକୁ ଦେଖି ତୁମେ ହଜି ଯାଅ କବା
ମନେ ନେଇ ଅବଶୋଷ ।
ବସନ୍ତ ରାଜ ହେ ରାଜୁତି ଦେଖାଅ
ତୁମ ଋତୁ ଚକ୍ର ଦଣ୍ଡେ
ତୁମ ସମୟ ତ ତୁମର ହେଉ ହେ
ଧରା ହସୁ ଯେ ଆନନ୍ଦେ ।
ବସନ୍ତ ହେ ତୁମେ ଯାଅନାହିଁ ହଜି
ଧରା ଶ୍ରୀମଣ୍ଡିତ ଥାଉ
ବିଧୁର ଜୀବନ ସଧୀର ହେଉ ହେ
ପୁଣ୍ୟତୋୟା ସ୍ରୋତ ବହୁ ।
ବସନ୍ତ ହେ ତୁମେ ଯାଅ ନାହିଁ ହଜି
ସୁଗନ୍ଧେ ପୃଥିବୀ ଭର
ପ୍ରତି ପ୍ରାଣେ ଛୁଟୁ ପ୍ରେମର ଫୁଆରା
ଧରା ହେଉ ମଧୁମୟ ।
ବସନ୍ତ ହେ ତୁମେ ଯାଅ ନାହିଁ ହଜି
ମଳୟ ଲୁଚି ନ ଯାଉ
ପ୍ରତି ଆଳୟରେ ଶାନ୍ତି ପରଶ ହେ
ଜୀବନେ ଶାନ୍ତି ବରଷୁ ।
ବସନ୍ତ ହେ ତୁମେ ଯାଅ ନାହିଁ ହଜି
ଏ ଧରା ଯେ ହସୁଥାଉ
ତୁମରି ପରଶେ ପ୍ରତିଟି ଜୀବନ
ଶାନ୍ତ କାନ୍ତ ହେଉ ଥାଉ ।