ବର୍ଷା
ବର୍ଷା
ପ୍ରକୃତିର ଶୋଭା ରାଶି ଯେ ଅବର୍ଣ୍ଣନୀୟ
ଅନୁଭବେ କବି ପ୍ରାଣ ନିରତେ ଅଥୟ ।
ବର୍ଷା ଋତୁ ଚିତ୍ତହାରୀ କରେ ଆକର୍ଷଣ
ଯେସନେ ମରୁ ପୃଷ୍ଠରେ ତୁଷାର ବର୍ଷଣ ।
ଗିରି ଶିଖରେ କୁହୁକ ବାରିଦ ମେଖଳା
ଶୀତ ସମୀରଣ ଲାଗି ବେଶ ତା ଚଞ୍ଚଳା ।
ବଜ୍ର ହସ୍ତ ଧରି ସଂଗେ ଆସେ କ୍ଷଣପ୍ରଭା
ବ୍ୟାଜ ରୂପେ ଶକ୍ତି ଭରି ଚମକାଏ ଶୋଭା ।
ଝର୍ଝର ନାଦରେ ଉଚ୍ଚ ଶିଖରୁ ଝରଇ
ଶିଳା ବନ୍ଧୁର ଶେଯକୁ ସଂଗତେ ସେ ନେଇ ।
ନିମଗ୍ନା ଚିତ୍ତ ଲୋଡ଼େ ଅଗାଧ ସାଗର
ଆଡ଼ିବନ୍ଧ ବାନ୍ଧି କିଏ ପଥେ ହେବ ସ୍ଥିର ।
ଅତି ପ୍ରଖର ଉତ୍ତାଳେ ନଦୀ କରେ ଗତି
ଅସରା ଆସରା ବର୍ଷା ସାଥେ ଥାଏ ମାତି ।
ବର୍ଷା କାଳ ଚତୃଦିଗ ଲାଗେ ସବୁଜିମା
ପ୍ରକୃତି ରାଣୀ ବେଶକୁ କି ଦେବା ଉପମା ।
କାହିଁ ଶିଖି ନୃତ୍ୟ କରେ ଦେଖିଣ ବାରିଦ
କାହିଁ ପୁଣି କାକ ଶାରୀ ସ୍ନାନ ରତେ ମୁଗ୍ଧ ।
ଶୁଷ୍କ ପ୍ରାଣ ପୁଲକିତ ଲଭି ସୁଧା ବାରି
ତୃପ୍ତ ଅନୁଭବେ ଯାଏ ସବୁ ଦୁଃଖ ସରି ।
କେବେ ପୁଣି ବିହାୟସେ ଭାସେ ଇନ୍ଦ୍ରଧନୁ
ସେ ଅପୂର୍ବ ଦୃଶ୍ୟ କିବା ଭୁଲି ହୁଏ ମନୁ ।
ନଦୀ ହୁଏ ପୂର୍ଣ୍ଣଗର୍ଭା ଭାବ ଟଳମଳ
କାହିଁ ଦୁର୍ବଳ କାନ୍ଥକୁ ଲଗାଏ ସେ ବଳ ।
ନିର୍ଝରଣୀ ତଟେ ବୃକ୍ଷ ପହରୀ ସମାନ
ମଥା ଟେକି ବେନି କୂଳ କରେ ଅନୁଧ୍ୟାନ ।
କେବେ ମାତ୍ରାଧିକ ଜଳ ଖେଳାଏ ଭଉଁରୀ
ପ୍ଳାବିତ ଡେଣାକୁ ମେଲି ଚଉଦିଗେ ଘେରି ।
ଆପଣା କାୟା ବିସ୍ତାରୀ ଦେଖାଏ ସେ କୋପ
ନିରାଶ୍ରୟ ଜନ ଗଣ କରନ୍ତି ଯେ ତପ ।
ମଥା ପରେ ଛାତ୍ରୀ ଧରି ଚଳନ୍ତି ବାଟୋଇ
ଆଶ୍ରୟେ ଗହଳ ଶାଖା ଲୋଡ଼ନ୍ତି ଯେ ସେହି ।
ଖେତ ସାରା ବର୍ଷା ବାରି ଅତି ମନୋରମ
ହାସ୍ୟ ମୁଖ ଚାଷୀ ପୁତ୍ର ନିଷ୍କଣ୍ଟକ ସମ ।
ବିଦ୍ୟାର୍ଥୀ ଜୀବନ ହୁଏ ଅତ୍ୟନ୍ତ ଦୁଃସହ
ବିଦ୍ୟାଳୟ ପଥେ ଆସେ ଜଳର ସମୂହ ।
ଥର ଥର ଓଠ କଂପେ ଲାଗି ବର୍ଷା ପାଣି
ତଥାପି ଆନନ୍ଦେ ଆସି ଲଗାଏ ସେ ଶ୍ରେଣୀ ।
ଜଳ ବିହୁନେ ସୃଷ୍ଟି ଯେ ସଦା ହୁଏ ନାଶ
ସଲିଳ ସରସେ ପୁଣି ଖେଳି ଯାଏ ହସ ।