ବର୍ଷା ତୁମେ ନିଷ୍ଠୁର
ବର୍ଷା ତୁମେ ନିଷ୍ଠୁର
ହେ ବର୍ଷା, ତୁମେ ଏମିତି ବର୍ଷିବ ଜାଣି ନଥିଲି,
ଟୁପୁ ଟୁପୁ ହୋଇ ବରଷିବ ବୋଲି ମୁଁ ଭାବିଲି ।
କିନ୍ତୁ, ଆକାଶର ଯେବେ କଳାହାଣ୍ଡିଆ ସେହି ବାଦଲକୁ ଦେଖିଲି
ଭାବିଲି, ତୁମେ ବୋଧେ ମିଛରେ ମୋତେ ଡରାଉଛ ବୋଲି ।
ପୂର୍ବରୁ ତୁମେ ଏମିତି କେତେ ଥର ଡରାଇ ଦେଇଥିଲ,
କିନ୍ତୁ ଏଥର ତୁମେ ତୁମ ଅସଲି ରୂପ ଦେଖାଇଲ ।
ବାଟରେ ଚାଲୁ ଚାଲୁ, ବାଦଲକୁ ଦେଖି ମୁରୁକି ହସୁଥିଲି,
କିନ୍ତୁ ତୁମ ମୁଷଳ ଧାରରେ ଭିଜି କଲବଲ ହେଲି ।
ଦେଖୁ ଦେଖୁ ସତେ ତୁମେ ଭୀଷଣ ରୂପ ନେଲ,
ବୋଧହୁଏ ମୋର ହସ ଦେଖି ତୁମେ ସତେ ରାଗିଗଲ ।
ରାସ୍ତା ଘାଟ ସବୁ ତୁମ ବୃଷ୍ଟିରେ ତୁମେ ଭରିଦେଲ,
ଜୀବ ଜୀବନକୁ ସୁରକ୍ଷା ପାଇଁ ବଡ଼ ବାଧ୍ୟ କଲ ।
ନଦୀ ନାଳ ଭରି ତୁମେ ବୋଧେ ତାଙ୍କୁ କହିଲ,
ତୁମ ସଙ୍ଗେ ମିଶାଇ ଆମ ସଙ୍ଗେ ଦାଉ ସାଧିଲ ।
ସେମାନେ ଉଶୃଙ୍ଖଳ ହୋଇ ତାଙ୍କ ତୀର ସବୁ ଲଙ୍ଘିଲେ,
କେତେ କେତେ ଧନ ଜୀବନ, ସବୁ ନଷ୍ଟ କରିଦେଲେ ।
ତୁମ କଥା ଶୁଣି ବୋଧେ ସାଗର ସାଥୀ ହେଲା,
ଲଘୁ ଚାପ ସୃଷ୍ଟି କରି ତା ଜୁଆର ସୀମା ଲଙ୍ଘିଲା ।
ଦେଖୁ ଦେଖୁ ଚଉଦିଗ ହେଲା ଖାଲି ଜଳ ମଗ୍ନ,
ଭୟରେ ବିଚଳିତ ହେଲା ଧରା ପୃଷ୍ଠେ ସଭିଙ୍କ ମନ ।
ବଡ଼ କଷ୍ଟ କରି ଯେବେ ଫେରିଲି ନିଜ ଗୃହକୁ,
ଅସହ୍ୟ ହେଲା ଦେଖି ଜଳମଗ୍ନ ଦାରୁଣ ସେହି ଦୃଶ୍ୟକୁ ।
ଦେଖୁ ଦେଖୁ ଦ୍ୱିପ୍ରହର ଠାରୁ ସନ୍ଧ୍ୟା ହୋଇ ଗଲା,
ତଥାପି ତୁମ ଗର୍ଜନ ବର୍ଷଣ ଟିକେ ଉଣା ନହୋଇଲା ।
ଭାବିଲି ଏପରି ରୂପ କେବେ ତୁମର ଦେଖି ନଥିଲି,
କାହିଁକି ସେହି ତୁମ ବାଦଲକୁ ଦେଖି ହସି ଦେଲି ।
ସଭିଙ୍କର ଦୁଃଖ ଦୁର୍ଦଶା ଦେଖି ବଡ଼ ଚିନ୍ତାରେ ପଡିଲି,
ମନେ ମନେ ଅନୁତାପର ବହ୍ନିରେ ଖାଲି ବହୁତ ଜଳିଲି ।
ନୀରବରେ ହାତ ଯୋଡି ତୁମକୁ ଚାହିଁ ପ୍ରାର୍ଥନା କଲି,
ନିଜର ଧୃଷ୍ଟତା ପାଇଁ ତୁମକୁ ବହୁତ କ୍ଷମା ମାଗିଲି ।
ବୋଧହୁଏ ତେବେ ତୁମେ ଟିକେ ମୋତେ ଦୟା କଲ,
ଧୀରେ ଧୀରେ ତୁମ ଦାରୁଣ ବର୍ଷଣକୁ ଶାନ୍ତ କରିଦେଲ ।
ତୁମ ଦୟା ଦେଖି ମନ ଟିକେ ଆଶ୍ୱସ୍ତ ହେଲା,
ଦେଖୁ ଦେଖୁ ସନ୍ଧ୍ୟା ଯାଇ ରାତ୍ରି ଉଭା ହେଲା ।
ସମସ୍ତ ଜୀବ ଜଗତ ରହିଲେ ଏବେ ଜଳବନ୍ଦୀ ହୋଇ,
ଆକୁଳେ ଖୋଜିଲେ ଉପାୟ ନିଜ ନିଜର ଉଦ୍ଧାର ପାଇଁ।
ମନେ ମନେ ସଭିଏଁ ଭାବିଲେ, ବର୍ଷା ତୁମେ ନିଷ୍ଠୁର,
ଯନ୍ତ୍ରଣାରେ ଦହଗଞ୍ଜ ହେଲୁ ପାଇ ତୁମ କଠୋର ପ୍ରହାର ।