ବରଷା ରାଣୀ
ବରଷା ରାଣୀ
ବରଷା ରାଣୀ ଆସୁଛି ମେଘ ସବାରୀରେ
ବାଣ ରୋଷଣୀ ସହିତ ଆଲୋକ ସଜ୍ଜାରେ
ବିଜୁଳି ଘଡଘଡି ଆନନ୍ଦରେ ହେଲେ ମତୁଆଲା
ଆଲୋକ ଓ ଗର୍ଜନ ଶବ୍ଦରେ ପୃଥିବୀ କମ୍ପିଲା
ଖୁସିରେ ବରଷା ରାଣୀ ଝରାଉଛି ବର୍ଷା ପାଣି
ଚାତକ ର ଖୁସି କଥା କିଏ ନ ଜାଣିଛି ଜାଣି
ବର୍ଷା ପାଇଁ କବିତା,ବର୍ଷା ବେଳର କବିତା
ବର୍ଷାରେ କବିତା ସହିତ ବର୍ଷାର ମାଦକତା
କବିତାରେ ବର୍ଷାର ବର୍ଣ୍ଣନା ବିଭିନ୍ନ ରୂପରେ
ବର୍ଷା ରାଣୀ,ସୁନ୍ଦରୀ ପୁଣି ପ୍ରିୟା ତୁଳନାରେ
କାହା ପାଇଁ ମୀତ ପୁଣି କାହା ପାଇଁ ସଙ୍ଗାତ
କବିର କାବ୍ୟ କବିତା ଦେହକୁ ବହୁତ ହିତ
ବରଷା କୁ ନେଇ କବିର କଳ୍ପନା ଚାତୁରୀ
କଳ୍ପିତ ଚରିତ୍ର ସହ ବରଷା ପଡୁଥିବ ଝରି।
ବର୍ଷା ଶୀର୍ଷକ ପ୍ରତିଯୋଗିତା ସାହିତ୍ୟ କ୍ଷେତ୍ରରେ
କାହାଣୀ କବିତାର ସମ୍ଭାର ଭିନ୍ନ ଭିନ୍ନ ଉପାୟରେ
ସ୍ରଷ୍ଟା ଙ୍କୁ ସମ୍ମାନିତ,ଶ୍ରେଷ୍ଠ କୃତି ପାଇଁ ମାନପତ୍ର
ବର୍ଷା ପାଣିରେ ଭାସୁଛି କାହାଣୀ-କବିତା- ମାତ୍ର
କ୍ଷିପ୍ର ଗତିରେ ଡଙ୍ଗା ବି ନଦୀ ଗର୍ଭରେ ଚାଲୁଛି
ବର୍ଷା ଶୀର୍ଷକ କବିତା ପୁରସ୍କାର ଦ୍ଵୀପରେ ଲାଗୁଛି
ବରଷା ରାଣୀର ଅଭିନୟ କରିବା ଆଗରୁ
ଘଡ଼ଘଡ଼ି ବଜାଇବ ବାଜା ସର୍ବ ପ୍ରଥମରୁ
ନୁଆ ନୁଆ ପ୍ରେମିକ ଛାତି ଖୋଲି ଦେଖାଉଛି
ଡର ଥାଉ ନ ଥାଉ ,ପ୍ରେମିକା ମୁଣ୍ଡ ଗୁଞ୍ଜି ଅଛି
ଚାଳ ଛପର ରୁ ବର୍ଷା ପାଣି ଘରକୁ ଆସୁଛି
ବର୍ଷା ପାଣିରେ ପିଲାଙ୍କର ଡଙ୍ଗା ଭାସୁଅଛି
ବର୍ଷା ଛିଟା ରେ ପ୍ରେମିକାର ଦେହ ଥରୁ ଅଛି
ବର୍ଷା ଦେଖି ପ୍ରେମିକ ପ୍ରବର ଛତା ଧରି ଅଛି
ଚଷା ଭାଇ ଖୁସିରେ ଚାଷ ଆରମ୍ଭ କରିଛି
ବର୍ଷା ଶୀର୍ଷକରେ କବି କାବ୍ୟ କବିତା ଲେଖୁଛି
ନୂଆ ନୂଆ କବିତା କାହାଣୀ ସୃଷ୍ଟି ହେଉଅଛି
କବିତା ପଢ଼ିଲେ ବି ବର୍ଷା ପରି ପାଣି ଝରୁଛି।
ବର୍ଷା ପାଣିରେ ରାସ୍ତା ଧୋଇ ହୋଇଅଛି
ପାଦରେ ଚାଲିଲେ ମାଟି କାଦ ବାଲି ଲାଗୁଅଛି
ପୋକ ଜୋକ ଅଗଣିତ କୀଟ ଉତ୍ପତ୍ତି ହେଉଛି
ଧଳା ବଗ ମୀନ ପାଇଁ ବିଲ ହୁଡାରେ ବସିଛି
ବର୍ଷା ବାହାନାରେ କେତେ ଦିନ ସ୍କୁଲ୍ ଛୁଟି ହେଉଛି
ଖାଲ ବିଲ ପାଣିରେ ଛୋଟ ମାଛ ଧରା ହେଉଅଛି
ପର୍ବ ପର୍ବାଣୀ ସମ୍ଭାର ର ଧାରା ଆରମ୍ଭ ହୋଇବ
ସ୍କୁଲ୍ ଯିବା ପିଲେ ବର୍ଷା ବିଷୟର ରଚନା ଲେଖିବ।
ବିରହୀ ପ୍ରେମିକା ବେଶି ଝୁରି ହେଉଅଛି
ସାଥୀ ବିନା ଘରଣୀଙ୍କୁ ନିଦ ନ ଆସୁଛି
ବୁଢ଼ା ବୁଢ଼ୀ ଚାଦର କମ୍ବଳ ଘୋଡେ଼ଇ ଶୋଉଛି
ବେଶି ବର୍ଷା ହେଲେ ଆନିକଟ ଭାଙ୍ଗି ଯାଉଅଛି
ସ୍ଥାନେ ସ୍ଥାନେ ବର୍ଷା ପାଣି ବାତ୍ୟା ରୂପ ନେଉଛି
ବର୍ଷା ହେଲେ ଖାଲ ଜାଗାରେ ପାଣି ଜମୁଅଛି
ବର୍ଷା ହେଲେ ଘାସ ରୁ ନୂଆ ଘାସ ଉତ୍ପତ୍ତି ହେଉଛି
ଜୀବ ଜନ୍ତୁ ତୃଣଜିଵୀ ଙ୍କ ମନ ଖୁସିରେ ନାଚୁଛି
ବର୍ଷା ଦିନେ ଗରମ ଖାଦ୍ୟ ସୁଆଦ ଲାଗୁଛି
ଥଣ୍ତା କାଶ ଜ୍ଵର ପ୍ରାୟ ବହୁ ଦିନ ଲାଗି ରହୁଛି
ପାଣି ଫୁଟାଇ ପିଇବାକୁ ଡାକ୍ତର କହୁଛି
ମଶା ମାଛି, କୀଟ ଙ୍କ ସଂଖ୍ୟା ବେଶି ହେଉଅଛି
ସନ୍ଧ୍ୟା ବେଳେ ଆଲୁଅ ଦେଖି କୀଟ ଜମା ହେଉଛି
ବଜାରରେ ନୂଆ ଚାରା ଗଛ ବିକ୍ରୟ ହେଉଛି
ବର୍ଷା ହେଲେ ରାସ୍ତା -ଘାଟ ରେ ଛତା ମାଳମାଳ
ଦୁଇ ଚକିଆ ଚାଳକ ବର୍ଷା-କୋଟ ପିନ୍ଧିବ ଚଞ୍ଚଳ
ଚଷା ଭାଇ ସବୁଦିନ ବିଲ ଦେଖିବାକୁ ଯାଉଅଛି
ଅନାବନା ଘାସ ବିଲରୁ ବାହାର କରି ଫିଙ୍ଗୁଛି
ବର୍ଷା ଦିନିଆ ପନିପରିବା ଚାଷ ବି ଭଲ ହେଉଅଛି
ଚାଷୀ ଭାଇ ଭଲ ଅମଳ ପାଇଁ ଆଶା ବି ରଖୁଛି
ରସିକ-କବି ବର୍ଷାରେ ରସ ପୁର୍ଣ୍ଣ କବିତା ଲେଖୁଛି
ଦରଦୀ ଲେଖକ ଲୁହ ଝରା ଲେଖା ଲେଖୁଅଛି
କବି,ଲେଖକ,ପ୍ରେମିକ,କୃଷକଙ୍କ ବର୍ଷା ଅନୁଭବ
ଅନୁଭବ କରିଛନ୍ତି ବର୍ଷାର ଆଗ ପଛ ହାବ ଭାବ
ଆସନ୍ତୁ ପଢ଼ିବା ସେମାନଙ୍କ ବରଷା ରାଣୀର କଥା
ବଳେ ବଳେ ବୁଝି ହେବ ବି ବରଷା ରାଣୀର ବ୍ୟଥା
