ବରଷା କାଳ
ବରଷା କାଳ
ନିଦାଘ ଅନ୍ତ ହେଲା ଗ୍ରୀଷ୍ମ କରାଳ ।
ମହୀରେ ବିଜେ ଭାଇ ବରଷାକାଳ ।।
ଅମ୍ବରେ ଡମ ଡମ ମେଘ ଡମ୍ବରୁ ।
ଅମୃତ ଧାରା ପଡ଼େ ନୀଳ ଅମ୍ବରୁ ।।
ଦୂର୍ବାଦଳେ ଧରଣୀ ମଣ୍ଡିତ ହୋଇ ।
ସାଧବ ବୋହୁ ତଥି ପରେ ଗମଇ ।।
ନବ ନୀରଦ ମାଳା ଆକାଶେ ପୁରି ।
ଘନ ଘନ ଶୁଭଇ ମେଘ ମହୁରୀ ।।
ପ୍ରାଣୀଜୀବନ ଘନ ବରଷେ ନୀର ।
ଜଳ ନିକଟେ ଉଚ୍ଚେ ଡାକେ ଦର୍ଦୁର ।।
ନବ ଘନ ଦର୍ଶନେ ନାଚଇ କେକା ।
ବର୍ଣାଳୀପୁଛ ଶୋଭା ଶୁଭ ଚନ୍ଦ୍ରିକା ।।
ଅଶନୀ ନିନାଦରେ କମ୍ପିତ ଧରା ।
ଚପଳା ଚମକଇ ମେଘ
ପସରା ।।
ହରିତ କିଶଳୟେ ବୃକ୍ଷେ ମଣ୍ଡିତ ।
ଗିରିକାନନ ଶୋଭା ବର୍ଣ୍ଣନାତୀତ ।।
ଉଚ୍ଚେ ରବନ୍ତି ସରସୀତଟେ ଭେକ ।
ନଭେ ଶୋଭଇ ବକ୍ର ଶକ୍ର କାର୍ମୂକ ।।
ବରଷା କାଳ ଋତୁଙ୍କ ମଧ୍ୟେ ସାର ।
ଶସ୍ୟସମ୍ପଦେ ମହୀ ଦିଶେ ରୁଚିର ।।
ଆଷାଢ଼ ଶ୍ରାବଣରେ ଘୋର ବରଷା ।
ଚଷା ଭାଇକୁ ଭାଇ ହରି ଭରସା ।।
ଧନ୍ୟ ଧନ୍ୟରେ ଘନ ପ୍ରାଣୀ ଜୀବନ ।
ରଥରେ ବିଜେ କଲେ କଳା ବାମନ ।।
ଅମୃତ ଧାରା ପାତ ବର୍ଷା ରୁଚିର ।
ଧନ୍ୟ ଧନ୍ୟ ବିଧାତା ସୃଷ୍ଟି ତୁମ୍ଭର ।।