ବର୍ଷା ବର୍ଣ୍ଣାଳି
ବର୍ଷା ବର୍ଣ୍ଣାଳି
ବରଷା କାଳରେ ଅପରୂପ ବେଶ
ପରିପୂର୍ଣ୍ଣ ଶୋଭା ଦୀପ୍ତି
ବାରି ପାତ ଫଳେ ବୃକ୍ଷ ଲତା କୋଳେ
ବୋହି ହସେ ଏ ପୃଥିବୀ ।
ବିଗତ ନିଦାଘ ତାପ ନାଶେ ମେଘ
ବରଷଇ ଅବିରତ
ବୃକ୍ଷ , ତରୁ ଲତା ତେଜିଣ ରୁକ୍ଷତା
ନବ ପଲ୍ଲବ ରାଜିତ ।
ବାରି ପାତ ଫଳେ ଚଷା ମନେ ଖେଳେ
ନବ ରୋମାଞ୍ଚ ସ୍ପନ୍ଦନ
ବହାରଇ ହସି ହୋଇ ଅତି ଖୁସି
କୃଷି କାର୍ଯ୍ୟେ ନିତି ଦିନ ।
ବନେ ଆନନ୍ଦ ରେ ମୟୂର ନୃତ୍ୟ ରେ
ବର୍ଷା କୁ କରେ ସ୍ବାଗତ
ବଜାଇ ମଧୁର ମୂର୍ଚ୍ଛନା ତାହାର
ଷଡଜ ସ୍ୱର ସଙ୍ଗୀତ ।
ବର୍ଣ୍ଣିଳ ମଞ୍ଜୁଳ କଳାପ ବିସ୍ତାରି
ଭଙ୍ଗୀମା ଲୋଳ ନର୍ତ୍ତନ
ବର୍ଣ୍ଣ ର ରୋଷଣୀ ଝଲ ମଲ ବୁଣି
ଆକର୍ଷଇ ଜନ ମନ ।
ବହେ ମନ୍ଦ ମନ୍ଦ ଶୀତଳ ପବନ
ମନ ପ୍ରାଣେ ମୌସୁମୀର
ବାରତା ପରଶେ ନିଦାଘ ତପତ
ଦୁଃଖ ଦାହ ହୁଏ ଦୂର ।
ବହେ ତରଙ୍ଗିଣୀ ପାଣିର ପ୍ଲାବନ
ଧାରା ଝରେ ଚାରି ଆଡେ଼
ବନ ପ୍ରନ୍ତର ଓ ରାସ୍ତା ଘାଟ ପୂର୍ଣ୍ଣ
ହେଇ ଥାଏ କାଦୁଅରେ ।
ବିଜୁଳି ଚମକ ଘଡ ଘଡି ଡାକ
ସହିତ ତୁହାକୁ ତୁହା
ବୃଷ୍ଟି ଧାରା ନିତି ଠପ ଠାପ ଖସି
ପଡୁଥାଏ ହୁଏ ବନ୍ୟା ।
ବଢ଼ି ବାତ୍ୟା ଝଡି ପାଗରେ ଘଉଡ଼ି
ନାଶେ କେତେ ଧନ ଜନ
ବରଷା କାଳରେ ଆକାଶ କୋଳରେ
ଆଉ ନ ଦିଶଇ ଜହ୍ନ ।
ବାସେ ମହ ମହ ବନ ରେ କଦମ୍ବ
ହରଇ ମନ ହୃଦୟ
ବହୁ ଜାତି ଫୁଲ ଫଳ ଓ ପଲ୍ଲବ
ଘେନି ଊର୍ବୀ ଶୋଭା ମୟ ।
ବରଷା ଟିକିଏ ଛାଡି ଯାଏ ଯେବେ
ଆକାଶ ରେ ଇନ୍ଦ୍ର ଧନୁ
ବର୍ଣ୍ଣର ଉତ୍ସବ ବୁଣି ଦେଇ ନଭେ
ସପ୍ତ ବର୍ଣ୍ଣ ଦୀପ୍ତ ତନୁ ।
ବିମଳ ବିତାନ ଟାଣି କେ ନିର୍ମାଣ
କରି ଅଛି ଅପରୂପ
ବିହାୟସେ ହସେ ବର୍ଣ୍ଣଳ ବିଭାସେ
ବିଚିତ୍ର ସେ ଶକ୍ର ଚାପ ।
ବର୍ଷଣ ମୁଖର ସାୟଂ କାଳ ବିଭା
ବିଭାଶେ ମଞ୍ଜୁଳ ତର
ବିକଟାଳ ରାବ ଅହରହ ତୀବ୍ର
ରଚନ୍ତି ଭେକ ଦର୍ଦୁର ।
