ବର୍ଷା ଭିଜା ଦିନ
ବର୍ଷା ଭିଜା ଦିନ
ଭିଜା ସକାଳ ର ରିମ ଝିମ ସ୍ଵରେ
ନୟନୁ ଲିଭିନି କ୍ଲାନ୍ତି,
ଧରଣୀ ଗାଧାଏ କଳା ମେଘ ତଳେ
ଭିଜିଯାଏ ତାର ମାଟି l
ସୁରୁଜ ଆଲୁଅ ଧରା ବୁକୁ ପରେ
ପଡିବ ପଡିବ ହୋଇ,
କଳା ମେଘ ର ବାଦଲ ପରସ୍ତ
ଭେଦିତ ପାରଇ ନାହିଁ l
ଧରଣୀମା ଖୋଜେ ସୁରୁଜ ଠିକଣା
ବ୍ୟସ୍ତ ବିବ୍ରତ ମନେ,
ତା ଜୀବ ଜଗତ ପାଇଁ ସେ ବ୍ୟଥିତ
ଆଲୋକ ଧାରା ର ବିନେ l
ପଶୁ ପକ୍ଷୀ ମାନେ ଆହାର ନପାଇ
ତିନ୍ତି ବୁଡି ବୁଲୁଥାନ୍ତି,
ଅଧିକ ବରଷା ବଢାଏ ଦୁର୍ଦ୍ଦଶା
ଚାଷ କୁଆଣେ ବିପତ୍ତି l
ନୂପୁର ଲଗାଇ ନୃତ୍ୟ ଆଚରଇ
ବରଷା ରାଣୀ ଗଗନେ,
ଅତି ଜଳ ମାତ୍ରା ଆଣେ ମନେ ଚିନ୍ତା
ଭସାଏ ଜଳ ପ୍ଳାବନେ l
ବରଷା ରେ ଭିଜା ଘାସର ଗାଲିଚା
ସତେକି କାଲୁଆ ହୋଇ,
ଛେଚା ବରଷା ରେ ମୁଣ୍ଡ କୁ ନୁଆଁଇ
ମାଟିରେ ପଡିଛି ଶୋଇ l
ଗଛ ର ପତ୍ରରୁ ଝରି ପଡୁଥାଏ
ବଡ଼ ବଡ଼ ଟୋପା ପାଣି,
ବରଷା ସାଥ କୁ ହେମାଳ ପବନ
ନଚାଉଛି ଜାଣି ଜାଣି l
ଫୁଲ ବଗିଚା ଟି ବେରଙ୍ଗ ଦିଶୁଛି
ବରଷା ର ମାଡ଼ ଖାଇ,
କଅଁଳ ତାହାର ଫୁଲର ପାଖୁଡା
ପଡିଛି ତଳେ ବିଛେଇ l
ପଲ୍ଲୀର ବଧୂ ଟି ବରଷା ରେ ଭିଜି
ଘର ର ପାଇଟି ସାରେ,
ଆସୁ ଯେତେ ବାଧା ଅବା ଅସୁବିଧା
ପ୍ରଭୁଙ୍କୁ ସ୍ମରଣ କରେ l
ସୂର୍ଯ୍ୟ ତ କେବେବି ଅଟକନ୍ତି ନାହିଁ
ନ ଦିଶିଲେ ମଧ୍ୟ ସେହି,
ଶିଖାନ୍ତି ମାନବେ ନ ରୁହ ଆଳସ୍ୟେ
ବାଧା ଯେତେ ଥାଉ ରହି l
କଳା ବାଦଲ ଟି ଅପସରି ଯିବ
ଢ଼ାଲିବେ ଆଲୋକ ଧାରା,
ହସି ଉଠିବ ଏ ଧରଣୀ ମାଆ ଟି
ହୋଇବ ଶୋକ ପାଶୋରା l
