ବରଷା ଆସିଲେ
ବରଷା ଆସିଲେ
ବରଷା ଆସିଲେ ମାଟି ଭିଜିଗଲେ
ଖେଳିଯାଏ ତା'ର ପ୍ରୀତି ସୁବାସ
ଝରକା ଏପାଖେ ମୋ ମନ ବିଭୋର
ଭରିଯାଏ ଓଠେ ମଧୁ ହରଷ ।
ରିମିଝିମି ବର୍ଷା ମାଟିକୁ ଚୁମଇ
ଆନମନା କରେ ମୋତେ ତା ସ୍ପର୍ଶ
ଦୁଇ ବାହୁ ଖୋଲି ନୀଳାକାଶ ତଳେ
ନାଚିଉଠେ ପାଦ ଭୁଲି ବିରସ ।
ବରଷାର ଧାର ଝରି ଆନନ୍ଦରେ
ଶ୍ୟାମିଳିମା କରେ ମାଟି ତନୁକୁ
ଶିହରିତ ହୁଏ ମୋ ସାରା ଶରୀର
ବୋଳିଦିଏ ସତେ ପ୍ରୀତି ରଙ୍ଗକୁ ।
ବରଷା ଆସିଲେ ବିଜୁଳି ଚମକ
କ୍ଷଣେ ବୃଦ୍ଧିକରେ ମାଟି ଶୋଭାକୁ
କାନେ କହିଯାଏ ସ୍ନିଗ୍ଧ ସମୀରଣ
ଏକା କାହିଁ ଭିଜୁ ଭୁଲି ସାଥିକୁ ।
ଓଦା ମାଟି ଭିଜେ ବରଷା ଟୋପାରେ
ଅପୂର୍ବ ମିଳନ ରଚେ ଧରାରେ
କୁଆଁରୀ ମନ ମୋ ଦଗ୍ଧ ହୋଇଯାଏ
ହୃଦୟ ସାଉଁଟି ସାଥି ସ୍ମୃତିରେ।

